କନ୍ଧମାଳ– ଭୟାବହ କରୋନା ସଂକ୍ରମଣ ପାଇଁ ସରକାର ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଲକଡାଉନ୍ ନିୟମକୁ କଡାକଡି ପାଳନ କରିବାଲାଗି ସରକାର ଦୋକାନ ବଜାର ଗାଡିମୋଟର ସବୁକିଛି ବନ୍ଦ କରିଛନ୍ତି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ରାସନ, ମେଡିସିନ, ପନିପରିବା, ମାଛ, ମାଂସ, ଫଳ, କ୍ଷୀର ଆଦି କେତେଟା ଦୋକାନକୁ ବାଦ୍ ଦେଲେ ଆଉ ସବୁ ବନ୍ଦ । ଏସବୁ ନିତ୍ୟ ବ୍ୟବହାର୍ଯ୍ୟ ଦୋକାନ ସବୁ ମଧ୍ୟ ସକାଳ ସମୟରେ ୪ ଘଂଟା ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । ଫଳରେ ଫଟୋ ଷ୍ଟୁଡିଓ ଠୁ ଆରମ୍ଭ କରି ପାନ ଚା’ ଦୋକାନ, ବହି, ମିଲ୍ସ ହୋଟେଲ, ରେଷ୍ଟୁରାଂଟ, ଢାବା, ଟିଫିନ ହୋଟେଲ, ମଲ୍, ଲୁଗା ଦୋକାନ ସବୁ କିଛି ବନ୍ଦ ଥିବା ଯୋଗୁଁ ବ୍ୟବସାୟୀ ମାନେ ହାତବାନ୍ଧି ବସିଛନ୍ତି । ରୋଜଗାର ହରାଇ ଛୋଟ ଛୋଟ ଦୋକାନୀ ମାନେ ଭୋକ ଉପାସରେ ଦିନ କାଟୁଛନ୍ତି । ସରକାରଙ୍କ ସହାୟତା କିଛି ବ୍ୟବସାୟୀ, ଶ୍ରମିକ, ଗରୀବ ଗୁରୁବା ପାଇଥିବା ବେଳେ ଅନେକ ସହାୟତାକୁ ଅନାଇ ବସିଛନ୍ତି । ଏପରି ସ୍ଥଳେ ଲକଡାଉନରେ ବାରିକ ବା ସେଲୁନ୍ କର୍ମଚାରୀଙ୍କ ଡିମାଣ୍ଡ ଏବେ କାହିଁରେ କ’ଣ । ଲୋକମାନଙ୍କୁ ଚୁଟି, ଦାଢି ସବୁ ବଢିଗଲାଣି ଲକଡାଉନ୍ ସମୟରେ । ସମସ୍ତେ ବାରିକକୁ ଖୋଜୁଛନ୍ତି । ଘରେ ନିଜର ଚୁଟି ଦାଢି ସବୁ ସାଇଜ କରୁଛନ୍ତି । ପିଲା ଛୁଆଙ୍କ ମଧ୍ୟ ଚୁଟି କାଟୁଥିବା ଦେଖିବାକୁ ମିଳୁଛି । ସକାଳ ନପାଉଣୁ ବାରିକ ସାଇକେଲରେ କିମ୍ବା ଚାଲି ଚାଲି କିଏ ମୋଟର ସାଇକଲରେ ନିଜର ପ୍ରିୟ ଗ୍ରାହକଙ୍କ ଘରକୁ ଯାଇ ଚୁଟି, ଦାଢି ସବୁ କାଟିବା ସହ ଚୁଟି କଳା ମଧ୍ୟ କରୁଛନ୍ତି । ଫଳରେ ଜଣେ ଜଣେ ଶହେରୁ ୨ ଶହ ଟଙ୍କା ଲେଖାଏଁ ଦେଉଛନ୍ତି । ଫଳରେ ଦିନରେ ୮/୧୦ ଜଣଙ୍କ କାମ କରିଦେଲେ ଟଙ୍କା ହଜାରେ ଆରାମରେ କମାଣି ହୋଇଯାଉଥିବା ଜଣେ ବାରିକ ନିଜ ନାମ ଗୋପନ ରଖି କହିଛନ୍ତି । ଦୋକାନ ଚାଲିଥିବା ବେଳେ କମ୍ ଟଙ୍କା ରୋଜଗାର ହେଉଥିଲା । ଏବେ ବନ୍ଦ ସମୟରେ ଭଲ ରୋଜଗାର ହେଉଛି । ହାତଗଣତି କମ୍ ବାରିକ ଘରକୁ ଯାଉଥିବା ବେଳେ ଆଉ କିଛି ବଡବଡିଆ ପାର୍ଲର ମାଲିକ ଘରକୁ ଯିବାଲାଗି କୁନ୍ଥୁ କୁନ୍ଥୁ ହେଉଛନ୍ତି । ଏଣୁ, କମ୍ ବାରିକ ଥିବାରୁ ଲୋକଙ୍କ ସଂଖ୍ୟା ଢେର ଅଧିକା । ଆମେ କଲ ଆଟେଣ୍ଡ କରିପାରୁନୁ । ଲିଷ୍ଟ ଅନୁଯାୟୀ ଜଣକ ପରେ ଜଣକ କାମ କରୁଛୁ । ଦିନକୁ ସକାଳୁ ଦିନ ଗୋଟାଏ ମଧ୍ୟରେ ୮ରୁ ୧୦ ଜଣଙ୍କ ଚୁଟି କାଟିହେଉଛି । ଯିବା ଆସିବା ଏଣେ ପୋଲିସ ଭୟ ଯୋଗୁଁ ବିଳମ୍ବ ହେଉଛି । ସନ୍ଧ୍ୟାରେ ବି ୩/୪ ଜଣଙ୍କ ଦାଢି କାଟିବା, ବାଳ କଳା କରିବା କାମ କରୁଥିବା ବାରିକ ଜଣକ କହିଛନ୍ତି । ଆସନ୍ତା ୪ ରେ ଲକଡାଉନ୍ ଖୋଲିଲେ ସରକାର ସେଲୁନ ଖୋଲିବା ଲାଗି ଅନୁମତି ଦେବେ କି ନାହିଁ ଜଣାପଡୁନି । କାରଣ ଆମେ ଯେତେ ସାନିଟାଇଜ କଲେ ମଧ୍ୟ ପାଖରେ ଲାଗିରହି ଚୁଟି କାଟିବା, ଦାଢି କାଟିବା କାମ କରିବାକୁ ପଡୁଛି । ଏଥିରେ କରୋନା ସଂକ୍ରମଣର ଭୟ ରହିଛି । ଆମେ ବି ଅଚିହ୍ନା ଲୋକଙ୍କୁ ଚୁଟି କାଟିବା ଲାଗି ଭୟ ଲାଗିବ ନିଶ୍ଚୟ । ଏଣୁ, କ’ଣ ହେବ ଜଣାପଡୁନି । ଏଣେ ଲୋକେ ମଧ୍ୟ ବହୁସଂଖ୍ୟାରେ ଆସି ଗହଳି କରିବେ ସେଲୁନରେ । ସାମାଜିକ ଦୂରତା ରଖିବା ମଧ୍ୟ ସମ୍ଭବ ହେବନି । ସରକାର କ’ଣ ନିଷ୍ପତି ନେଉଛନ୍ତି ତାହା ଆଗକୁ ଜଣାପଡିବ । ହେଲେ ବର୍ତମାନ ଲକଡାଉନ୍ ରେ କିଛି ସେଲୁନ ବାଲା ମାଲାମାଲ ହୋଇଯାଇଛନ୍ତି ଏକଥା ସତ ନିଶ୍ଚୟ ।
Related Stories
November 25, 2024