ବ୍ରହ୍ମପୁର : ଦେଶରେ ଆଉ ଏକ ପ୍ରମୁଖ ସଫଳତାରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ୩ଟି ପ୍ରମୁଖ ବର୍ଗରେ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୦ ଜିତିଛି । ଗ୍ରାମ ପଞ୍ଚାୟତର ବିକାଶ, ଶିଶୁ, ଅନୁକୂଳ ଗ୍ରାମ ପଞ୍ଚାୟତ ଓ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର ପାଇଁ ମନୋନୀତ ହୋଇଛି । ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ୨୦୧୮-୧୯ ମୂଲ୍ୟାଙ୍କନ ବର୍ଷ ପାଇଁ ଗଞ୍ଜାମ ଜିଲ୍ଲାକୁ ଏହି ସମ୍ମାନଜଣକ ପୁରସ୍କାର ମିଳିଥିବା ଜଣାପଡିଛି । ଏହାସହ ଗଞ୍ଜାମ ଏକମାତ୍ର ଜିଲ୍ଲା ଓଡ଼ିଶାରେ ଏହି ସମ୍ମାନଜନକ ଜାତୀୟ ପୁରସ୍କାର ପାଇବାରେ ମନୋନୀତ ହୋଇଛି । ଗଞ୍ଜାମ ବ୍ଲକ୍ର କାଇଁଚପୁର ପଞ୍ଚାୟତ “ଓଡ଼ିଶାର ସର୍ବତ୍ତୋମ ବିକାଶ ଯୋଜନା ପୁରସ୍କାର’’, “ଓଡ଼ିଶାର ଶ୍ରେଷ୍ଠ ଶିଶୁ ଅନୁୂକୂଳ’’ ଗ୍ରାମ ପଞ୍ଚାୟତ ଭାବେ ବେଲଗୁଣ୍ଠା ବ୍ଲକ୍ର ବଡବୋରସିଂ ଗ୍ରାମ ପଞ୍ଚାୟତ ଓ “ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ’’ ଗ୍ରାମସଭା ପୁରସ୍କାର ପାଇଁ ସାନଖେମୁଣ୍ଡି ବ୍ଲକ୍ର ପୋଡାମାରୀ ପଞ୍ଚାୟତକୁ ଏହି ସମ୍ମାନ ପଦକ ମିଳିଛି ।
ଏହି ପୁରସ୍କାର ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଖୁସିବ୍ୟକ୍ତ କରିଛନ୍ତି । ରାଜ୍ୟ ପାଇଁ ପୁରସ୍କାର ଜିତିଥିବା ଏକମାତ୍ର ଜିଲ୍ଲା ହେବାର ଅନୁଭବ ବିଷୟରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି ଯେ, ଆମେ ଗ୍ରାମ ପଞ୍ଚାୟତର ବିକାଶକୁ ସର୍ବଦା ଗୁରୁତ୍ୱ ଦେଇଥାଏ । ଅଂଶଗ୍ରହଣ ଯୋଜନା ସହିତ ଆମେ ବିକାଶ ଯୋଜନା ପ୍ରସ୍ତୁତକରୁ । ଯେଉଁଥାରେ ଗ୍ରାମ ପଞ୍ଚାୟତର ଲୋକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ପୁରସ୍କାର ଜିତିବା ପାଇଁ ମୁଁ ଗଞ୍ଜାମ ଜିଲ୍ଲାର ସମସ୍ତ ଜନସାଧାରଣ, ପିଆର୍ଆଇ କର୍ମକର୍ତ୍ତା ଓ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଉଛି । କାଇଁଚପୁର ପଞ୍ଚାୟତର ସରପଞ୍ଚ ସନ୍ତୋଷ ରେଡ୍ଡୀ, ବଡବୋରସିଂ ପଞ୍ଚାୟତର ଜ୍ୟୋତି ପାତ୍ର, ପୋଡାମାରୀ ପଞ୍ଚାୟତର ଭାଗ୍ୟଶ୍ରୀ ବିଷୋୟୀ ଏହି ପୁରସ୍କାର ପାଇଥିବାରୁ ଖୁସିବ୍ୟକ୍ତ କରିବା ସହ ଜିଲ୍ଲାପାଳ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଞ୍ଚାୟତ ଏହି ପୁରସ୍କାର ପାଇଥିବାରୁ ପଞ୍ଚାୟତମାନଙ୍କ ତରଫରୁ ତାଙ୍କୁ କୃତଜ୍ଞତା ଜଣାଯାଇଛି । ଆମେ ଜାତୀୟସ୍ତରରେ ସ୍ୱୀକୃତି ପାଇଛୁ ଏବଂ ଏହା ନିଶ୍ଚିତ ଭାବେ କାର୍ଯ୍ୟ କରିବାକୁ ନୂତନ ଉତ୍ସାହ ଦେବ ବୋଲି ନିଜ ନିଜ ପ୍ରତିକ୍ରିୟାରେ କହିଛନ୍ତି ।