-
କେବଳ ତାଲିକାଭୁକ୍ତ ଔଷଧ ଦୋକାନ ଖୋଲା ରହିବ
ବାଲେଶ୍ଵର, ୨୪/୪ : (କୃଷ୍ଣ କୁମାର ମହାନ୍ତି ଙ୍କ ଠାରୁ) କୋରୋନା ଭୂତାଣୁର ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ଲକ୍ଷ୍ୟ କରି ଗତକାଲି ରାତି ୧୦ଟା ଠାରୁ ବାଲେଶ୍ଵର ଜିଲ୍ଲା ସମେତ ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ସଟ୍-ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଗତକାଲି ସନ୍ଧ୍ୟାରେ ଏ ଖବର ପ୍ରଚାରିତ ହେବା ପରେ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯିବା ପରେ ଲୋକଙ୍କ ଭିତରେ ଚହଳ ପଡିଯାଇଥିଲା। ଘଣ୍ଟାକ ଭିତରେ ଦୋକାନ ମାନଙ୍କ ରେ ଗହଳି ପରିଲକ୍ଷିତ ହୋଇଥିଲା। ପରେ ପୋଲିସ ଜନଗହଳିକୁ ନିୟନ୍ତ୍ରଣ କରିଥିଲେ। ଆଜି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ସହରରେ ୬ ପ୍ଲାଟୁ ପୋଲିସ ଆଜି ସକାଳେ ଫ୍ଲାଗ୍ ମାର୍ଚ୍ଚ କରିବା ସହ ପୋଲିସ ଗାଡିରେ ମାଇକ୍ ଦ୍ଵାରା ସଟ୍-ଡାଉନ୍ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯାଇଛି।
ସହରରେ ଆଜି ଦୋକାନବଜାର ସମେତ ସବୁକିଛି ବନ୍ଦ ରହିଥିବା ଦେଖା ଯାଇଛି। ଅରଡବଜାର ଓ ସୁନହଟ ପ୍ରଭୃତି ଅଞ୍ଚଳରେ ଓଏସଏ ଫୋର୍ସ ଫ୍ଲାଗ୍ ମାର୍ଚ୍ଚ କରିଥିବା ବେଳେ ମଧ୍ୟାହ୍ନରେ କାଳବୈଶାଖୀର ତାଣ୍ଡବ ଯୋଗୁଁ ପ୍ରବଳ ଝଡତୋଫାନ ହେବା ଫଳରେ ପୋଲିସର କାର୍ଯ୍ୟରେ ବାଧା ଉପୁଯିଥିଲେ ମଧ୍ୟ ଲୋକଙ୍କୁ ଘରୁ ବାହାରିବାକୁ ଦେଇନାହିଁ ଏ ବର୍ଷାପାଗ। ଏହା ଏକ ପ୍ରକାର ପ୍ରାକୃତିକ ଅନୁଶାସନ ବୋଲି ସାଧାରଣରେ ଆଲୋଚନା ହେଉଛି। ତେବେ ଓଡିଶା ସ୍ଵତନ୍ତ୍ର ସଶସ୍ତ୍ର ବାହିନୀ ଆସନ୍ତାକାଲି ମଧ୍ୟ ସହରରେ ଫ୍ଲାଗ୍ ମାର୍ଚ୍ଚ କରିବେ ବୋଲି ସୂଚନା ମିଳିଛି। ଆସନ୍ତା ରବିବାର ସକାଳ ୧୦ଟା ପର୍ଯ୍ୟନ୍ତ ବଳବତ୍ତର ଥିବା ଏହି ସଟ୍-ଡାଉନ୍ ସହରରେ ଏକପ୍ରକାର କର୍ଫ୍ୟୁର ବାତାବରଣ ଆଣିଛି। ଘରୁ କେହି ବାହାରୁ ନଥିବା ବେଳେ କେବଳ ଜରୁରୀ ସ୍ଵାସ୍ଥ୍ୟ ସେବା ବ୍ୟତୀତ ଅନ୍ୟ ସମସ୍ତ ବେପାର, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି। ବିଶେଷ କରି ବାଲେଶ୍ଵର ଜିଲ୍ଲା ପୋଲିସ ପ୍ରଶାସନର ସମୟାନୁବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଓ ନିରନ୍ତର ସେବାଭାବ ଯୋଗୁଁ ବାଲେଶ୍ଵର ଜିଲ୍ଲାବାସୀ ନିୟନ୍ତ୍ରଣରେ ରହିଛନ୍ତି। ତେବେ ଏସବୁ ସତ୍ତ୍ଵେ କେଉଁଠି କେଉଁଠି ଲୋକେ ଅସୁବିଧାରେ ଅଛନ୍ତି ବୋଲି ସାମାଜିକ ଗଣମାଧ୍ୟମ ଦ୍ଵାରା ସୂଚନା ମିଳୁଥିବାରୁ ସେସବୁ ଦିଗରେ ମଧ୍ୟ ଦୃଷ୍ଟି ଦେବା ଦରକାର।