
ନୂଆଦିଲ୍ଲୀ– ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ 33 କୋଟିରୁ ଅଧିକ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏ ପର୍ଯ୍ୟନ୍ତ (2020 ଏପ୍ରିଲ 22) 31,235 କୋଟି ଟଙ୍କା ସିଧାସଳଖ ଆର୍ଥିକ ସହାୟତା ଆକାରରେ ଯୋଗାଇ ଦିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମାର୍ଚ୍ଚ 26ରେ ଏହି ତଥ୍ୟ ପ୍ରକାଶ କରିବା ଅବସରରେ କହିଛନ୍ତି ଯେ ଲକଡାଉନର ପ୍ରଭାବରୁ ଗରିବ ଲୋକଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ସହାୟତା ଯୋଗାଇ ଦିଆଯାଇଛି ।ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଅଂଶ ସ୍ୱରୂପ ସରକାର ମହିଳା, ଗରିବ, ବରିଷ୍ଠ ନାଗରିକ ଓ ଚାଷୀମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଏହି କାର୍ଯ୍ୟକ୍ରମରେ ତ୍ୱରିତ ଓ ଉପଯୁକ୍ତ କାର୍ଯ୍ୟକାରିତା ଉପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନଜର ରଖିଛନ୍ତି ଏବଂ ନିୟମିତ ଭାବେ ଏହାର ସମୀକ୍ଷା କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରଣାଳୟ ଓ ସଂପୃକ୍ତ ଅନ୍ୟାନ୍ୟ ମନ୍ତ୍ରଣାଳୟ ମଧ୍ୟ ଏହାର କାର୍ଯ୍ୟକାରିତାକୁ ତଦାରଖ କରୁଛନ୍ତି । କ୍ୟାବିନେଟ ସେକ୍ରେଟାରିଏଟ ମଧ୍ୟ ଏହା ଉପରେ ନଜର ରଖିଛି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ଲକଡାଉନ କାଳରେ ଗରିବ ଓ ଅଭାବୀ ଲୋକ ଯେପରି ଅସୁବିଧା ନ ଭୋଗନ୍ତି।ହିତାଧିକାରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ ସମୟରେ ତାହା ଯେପରି ବାଟମାରଣା ନହୁଏ ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଆର୍ଥିକ ସହାୟତା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଯାଇଥିବାବେଳେ ଖାଦ୍ୟଶସ୍ୟ, ଗ୍ୟାସ ସିଲିଣ୍ଡର ସେମାନଙ୍କୁ ସରକାରୀ ଅନୁମୋଦିତ ବ୍ୟବସ୍ଥାରେ ଯୋଗାଇ ଦିଆଯାଇଛି ।