ଭଦ୍ରକ– ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ପୁଣି ଜଣେ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଏହି ୪୦ ବର୍ଷିୟ ଆକ୍ରାନ୍ତ ନିକଟରେ କୋଲକାତାରୁ ଫେରିଥିଲେ । ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ କଂଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଜାରୀ ରହିଥିବା ନେଇ ସୂଚନା ମିଳିଛି ।
ଅନ୍ୟପକ୍ଷରେ ଜିଲ୍ଲାରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ସ୍ୱରୂପ ବାସୁଦେବପୁର ବ୍ଲକର ଅରଣ୍ଡୁଆ ଓ ବ୍ରାହ୍ମଣୀ ଗାଁ ପଚାଂୟତକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ସମ୍ପୃକ୍ତ ଅଂଚଳର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ କଂଟେନମେଂଟ ଜୋନ୍ ଚର୍ତୁପାଶ୍ୱର୍ରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ, ଉପକୂଳବର୍ତି ତିନୋଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଜିଲ୍ଲା ଗୁଡିକୁ ଗତକାଲି ରାତି ୧୦ଟାରୁ ଆସନ୍ତା ୨୬ ତାରିଖ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ୍ ଡାଉନ୍ କରାଯାଇଛି । କେବଳ ନିର୍ଦ୍ଦିଷ୍ଟ କେତୋଟି ଔଷଧ ଦୋକାନକୁ ବାଦ୍ ଦେଲେ ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ବନ୍ଦ କରିଦିଆଯାଇଛି ।