ଭଦ୍ରକ– ଗତକାଲି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଧିନସ୍ଥ ଗୋପବନ୍ଧୁ ନଗର ଗ୍ରାମରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ସାଙ୍ଗକୁ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଲେ ବିଷ୍ଣୁପଦ ବିଶ୍ୱାସ (୪୫) ଓ ମହୁମିତା ହୋତା (୨୭) । ଗତକାଲି ସଂନ୍ଧ୍ୟାରେ ବିଷ୍ଣୁପଦ କ୍ଷେତରେ କାମ ସାରି ଘରକୁ ଫେରୁଥିଲେ । ଏହି ସମୟରେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନୁରୂପ ଭାବେ ସେହି ଗ୍ରାମର ମହୁମିତା ଗୁହାଳରେ ଗାଈ ବାନ୍ଧୁଥିବା ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଛି ।
ସେହିପରି ବାସୁଦେବପୁର ବ୍ଲକ ନାୟକାଣିଡ଼ିହି ଥାନା ଅନ୍ତର୍ଗତ କରଞ୍ଜଆଡିଆ ଗାଁର ରଘୁନାଥ ତରାଇ (୫୫) ବଜ୍ରପାତରେ ଆହତ ହୋଇଛନ୍ତି । ସେ ଘରେ ଥିବା ବେଳେ ବଜ୍ରପାତରେ ଆହତ ହୋଇଥିଲେ । ବଜ୍ରପାତରେ ତାଙ୍କ ଶରୀରରର କିଛି ଅଂଶ ପୋଡିଯାଇଛି । ସମ୍ପ୍ରତି ସେ ଚିକିତ୍ସାଧିନ ଅଛନ୍ତି । କାଳ ବୈଶାଖୀ ପ୍ରଭାବରେ ଗୋପବନ୍ଧୁ ନଗର ଗ୍ରାମରେ ୧୦ ଟି ପରିବାରର ମାଟିଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି । ଖବର ପାଇ ବାସୁଦେବପୁର ତହସିଲଦାର ସୋମ୍ୟଶ୍ରୀ ପାଣିଗ୍ରାହି ଓ ବିରସ ରାଜସ୍ୱ ନିରୀକ୍ଷକ ତୁଷାର ପାତ୍ର ଘଟଣାସ୍ଥଳରେ ପହଂଚି ଘର ଭାଙ୍ଗିଥିବା ପରିବାର ଲୋକଙ୍କୁ ପଲିଥିନ୍ ପ୍ରଦାନ କରିଛନ୍ତି । କଷିଆ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଦୁଇ ମୃତକଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।
ଅନ୍ୟ ଏକ ଘଟଣା କ୍ରମେ ତିହିଡ଼ି ବ୍ଲକ ଅଧିନସ୍ଥ ବାହାବଳପୁର ପଚାଂୟତର ଦେବେନ୍ଦ୍ର ଧଳ ଓ ତାଙ୍କ ତିନି ଭାଇଙ୍କର ଆଜବେଷ୍ଟସ୍ ଘର ଉପରେ ଏକ ବିରାଟ ଚାଖୁଣ୍ଡା ଗଛ ପଡି ୪ ବଖରା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାର ଖବର ମିଳିଛି ।