ବ୍ରହ୍ମପୁର : ରାଜ୍ୟ ବାହାର ଫେରନ୍ତାଙ୍କ ପାଇଁ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ସ୍ଥିର କରାଯାଇଥିବା କ୍ୱାରେଣ୍ଟାଇନ୍ କେନ୍ଦ୍ର ଗୁଡ଼ିକର ଭିତ୍ତିଭୂମି ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମସ୍ତ ୫୦୩ ଗୋଟି ଗ୍ରାମ ପଞ୍ଚାୟତକୁ ବ୍ୟକ୍ତିଗତ ଭାବେ ପରିଦର୍ଶନ କରିବେ । ଗ୍ରାମ ପଞ୍ଚାୟତକୁ କେତେ ଲୋକ ଫେରିବେ,ସେମାନଙ୍କ କ୍ୱାରେଣ୍ଟାଇନ ପାଇଁ କେଉଁ ସବୁ ସ୍ଥାନ ଚିହ୍ନଟ କରାଯାଇଛି, ଖାଇବା ବ୍ୟବସ୍ଥା, ବିଜୁଳି ସଂଯୋଗ, ପାନୀୟ ଜଳ ଓ ଶୌଚାଳୟ ପ୍ରଭୃତି ଅନୁଧ୍ୟାନ କରିବେ । ସେହିପରି ବରିଷ୍ଠ ଅଧିକାରୀମାନଙ୍କୁ ଭିନ୍ନ ଭିନ୍ନ ଗ୍ରାମପଞ୍ଚାୟତ ଗୁଡ଼ିକର ଦାୟିତ୍ୱ ନ୍ୟସ୍ତ କରାଯିବ । ଜିଲ୍ଲାକୁ ପ୍ରାୟ ୪ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ବାହାର ରାଜ୍ୟରୁ ଫେରିବେ ବୋଲି ପ୍ରାଥମିକ ଅଟକଳ କରାଯାଇଛି । ସେମାନେ ସମ୍ପୃକ୍ତ କ୍ୱାରେଣ୍ଟାଇନ କେନ୍ଦ୍ରରେ ପହଞ୍ôଚବା ପରେ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ସମସ୍ତଙ୍କ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ କିଟ୍ ଏବେଠାରୁ ପ୍ରସ୍ତୁତ କରି ରଖିବାକୁ ଜିଲ୍ଲ୍ଲାପାଳ ବ୍ଳକ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ପଞ୍ଚାୟତ ସ୍ତରରେ ପରିଚାଳନା କମିଟିମାନ ଗଠନ କରାଯିବ । କେଉଁମାନଙ୍କୁ ଦାୟୀତ୍ୱ ଦିଆଯିବ ତାର ତାଲିକା ଏବେଠାରୁ ପ୍ରସ୍ତୁତ ହେବ । ଯେଉଁମାନେ ଅବହେଳା କରିବେ ସେମାନଙ୍କ ଉପରେ ଉତ୍ତର ଦାୟୀତ୍ୱ ଧାର୍ଯ୍ୟ କରାଯିବ । କରୋନା ଆକ୍ରାନ୍ତ ରାଜ୍ୟରୁ ଲୋକମାନେ ଫେରିବାକୁ ଥିବାରୁ ସର୍ବାଧିକ ସତର୍କତା ସହିତ ସେମାନଙ୍କର କ୍ୱାରେଣ୍ଟାଇନ ପରିଚାଳନା କରାଯିବ ବୋଲି ଜିଲ୍ଲାପାଳ ସୂଚାଇ ଦେଇଛନ୍ତି । ସାମାଜିକ ଦୂରତ୍ୱ କିପରି ଅବଲମ୍ବନ କରାଯିବ ପ୍ରତ୍ୟେକ ବ୍ଳକ ନିଜ ନିଜର ଆଦର୍ଶ ମାର୍ଗଦର୍ଶିକା ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ଜଣାଇବେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଅନାମ ଚରଣ ପାତ୍ର, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।
Related Stories
November 25, 2024