-
ବାହାର ଫେରନ୍ତାଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ
ବ୍ରହ୍ମପୁର: ଲକ୍ଡ଼ାଉନ ସମାପ୍ତ ପରେ ବାହାର ରାଜ୍ୟ ଫେରନ୍ତାଙ୍କୁ କିପରି ପରିଚାଳନା କରାଯିବ ସେଥିପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସରପଞ୍ଚମାନଙ୍କ ସହ ବିଚାର ବିମର୍ଶ କରିଛନ୍ତି । ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ଆଲୋଚନାରେ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଭାବେ ଏହାକୁ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ବାହାରେ ଗଞ୍ଜାମର ଯେଉଁଲୋକମାନେ ଥିବେ ଏବଂ ମଇ ୩ ତାରିଖ ପରେ ପ୍ରତ୍ୟାବର୍ତ୍ତନ କରିବେ ସେମାନଙ୍କୁ ବାହାର ରାଜ୍ୟ ଫେରନ୍ତା ଭାବେ ବିବେଚନା କରାଯିବ । ଯେଉଁମାନେ ଫେରିବାକୁ ଇଛୁକ ସେମାନେ ସମ୍ପୃକ୍ତ ସରପଞ୍ଚଙ୍କ ନିକଟରେ ଆଗୁଆ ନାମ ପଞ୍ଜିକରଣ କରିବେ । ଯେଉଁମାନେ ପଞ୍ଜିକରଣ ନକରି ଜିଲ୍ଲାକୁ ଫେରିବାକୁ ଚାହିଁବେ ସେମାନଙ୍କୁ ଆସିବା ପାଇଁ ଅନୁମତି ଦିଆଯିବ ନାହିଁ । ଫେରନ୍ତା ବ୍ୟକ୍ତି ସିଧା ପଞ୍ଜିକରଣ କରି ପଞ୍ଚାୟତର କ୍ୱାରେଣ୍ଟାଇନ କେନ୍ଦ୍ରରେ ପହଞ୍ôଚବେ । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ଅସୁବିଧା ଥିଲେ ନମୁନା ଅଧିକ ପରୀକ୍ଷା ପାଇଁ ପଠାଯିବ । ସେଠାରେ ୧୪ଦିନ କ୍ୱାରେଣ୍ଟାଇନ ରଖାଯିବ ସହ ସକାଳେ ଏବଂ ମଧ୍ୟାହ୍ନାରେ ଏବଂ ସନ୍ଧ୍ୟାରେ କ୍ୱାରେଣ୍ଟାଇନ ବ୍ୟକ୍ତିଙ୍କ ଉପସ୍ଥାନ ସୁନିଶ୍ଚିତ କରାଯିବ । ସେମାନେ ପରିବାର ଲୋକମାନଙ୍କ ସହ ମିଶିପାରିବେ ନାହିଁ । ଯେଉଁମାନେ କ୍ୱାରେଣ୍ଟାଇନ ଅବମାନନା କରିବେ ସେମାନଙ୍କ ବିରୋଧରେ ସରପଞ୍ଚ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ କରିପାରିବେ । ପ୍ରତ୍ୟେକ କ୍ୱାରେଣ୍ଟାଇନ ବ୍ୟକ୍ତିଙ୍କୁ ମାଗଣା ଖାଇବା ବ୍ୟବସ୍ଥା କରାଯିବ ଏବଂ ସମସ୍ତଙ୍କ ପାଇ ମାସ୍କ ପିନ୍ଧିବା ମାଧ୍ୟତାମୂଳକ ହେବ । କ୍ୱାରେଣ୍ଟାଇନ ଶେଷ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୨ହଜାର ଟଙ୍କା ଦେଇ ନିଜ ଘରକୁ ପଠାଯିବ । କ୍ୱାରେଣ୍ଟାଇନରେ ରହିବା ପାଇଁ କୌଣସି ବୟସ ସମୟସୀମା ନିର୍ଦ୍ଧାରଣ କରାଯାଇ ନାହିଁ । ପଞ୍ଚାୟତ ଅଧିନସ୍ଥ ଶିକ୍ଷାନୁଷ୍ଠାନ, ରାଜୀବଗାନ୍ଧୀ ସେବାକେନ୍ଦ୍ର, କଲ୍ୟାଣ ମଣ୍ଡପ, ଘରୋଇ ଶିକ୍ଷାନୁଷ୍ଠାନ, ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ କ୍ୱାରେଣ୍ଟାଇନ କେନ୍ଦ୍ର ଭାବେ ଅଧିଗ୍ରହଣ କରାଯିବ । ଏହା ରହିବା ପାଇଁ ଯଥେଷ୍ଟ ନହେଲେ ଟେଣ୍ଟ ପକାଇ ସାମୟିକ ରହଣୀସ୍ଥଳୀ ବ୍ୟବସ୍ଥା କରାଯିବ । ସେଠାରେ ପରିଷ୍କାର ପରିଚ୍ଛନ୍ନତା, ସାନିଟାଇଜେସନ, ବିଦ୍ୟୁତ, ପାନୀୟ ଜଳ, ଶୌଚାଳୟ ସୁନିଶ୍ଚିତ କରାଯିବ ଏଥି ସହ ମନୋରଞ୍ଜନ ବ୍ୟବସ୍ଥା ମଧ୍ୟ ରହିବ । ସ୍ୱତନ୍ତ୍ର ରୋଷେଇଆ ବ୍ୟବସ୍ଥା ହେବ । ସ୍ଥାନୀୟ ବ୍ଳକ ଉନ୍ନୟନ ଅଧିକାରୀ କିମ୍ବା ତହସିଲଦାର ପ୍ରତ୍ୟେକ କ୍ୱାରେଣ୍ଟାଇନ କେନ୍ଦ୍ରକୁ ଦୈନିକ ଥରେ ଲେଖାଏଁ ପରିଦର୍ଶନ କରିବେ । ପଞ୍ଚାୟତରେ ଆଇନ ଶୃଙ୍ଖଳା ତହସିଲଦାର ଅନୁଧ୍ୟାନ କରିବେ । ସରପଞ୍ଚମାନେ ୩୦ବର୍ଷରୁ କମ୍ ଦଶଜଣ ମହିଳା ଏବଂ ଦଶଜଣ ପୁରୁଷଙ୍କୁ ଚିହ୍ନଟ କରି ତାଙ୍କୁ କରୋନା ସମ୍ପର୍କିତ କାର୍ଯ୍ୟ କରିବା ପାଇଁ ତାଲିମ ଦେବେ । ମୁଖ ଆବୃତ କରିନଥିଲେ,ବାହାରେ ଛେପ ପକାଇଲେ, ପୋଖରୀରେ ଗାଧୋଇଲେ, ସାମାଜିକ ଦୂରତ୍ୱ ବଜାୟ ନରଖିଲେ, ମାସ୍କ ନାହିଁ ତ ସଉଦା ନାହିଁ ନଲେଖିଲେ, ପାନ ଗୁଟଖା ବିକିଲେ, ପଞ୍ଚାୟତ କଥା ଅବମାନନା କଲେ ସରପଞ୍ଚ ତାଙ୍କୁ ଜୋରିମାନା କରିବା ସହ ତାଙ୍କ ନାମରେ ଏତେଲା ଦାଏୟର କରିପାରିବେ । କୌଣସି ବ୍ୟକ୍ତିର ଥଣ୍ଡାକାଶ ଲକ୍ଷଣ ଦେଖାଦେଲ ସରପଞ୍ଚ ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇବା ବ୍ୟବସ୍ଥା କରିବେ । ଗ୍ରାମାଞ୍ଚଳରେ ନରେଗା କାମ ଚାଲୁଥିବାରୁ ସେଠାରେ ଶ୍ରମିକମାନଙ୍କ ସୁବିଧା ସରପଞ୍ଚ ଦେଖାରଖା କରିବେ । ମହାମାରୀ ଏବଂ ବିପର୍ଯ୍ୟୟ ପରିଚାଳନା ନିୟମ ମୁତାବକ ସରପଞ୍ଚମାନଙ୍କୁ କେତେକାଂଶରେ ଜିଲ୍ଲାପାଳ ଦାୟତ୍ୱ ନ୍ୟସ୍ତ କରାଯାଇଥିବାରୁ ସେମାନେ ଏହାର ସଦ୍ ବ୍ୟବହାର କରିବେ ଏବଂ ଅସଦ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।