କୋଲକାତା– ପଶ୍ଚିମବଙ୍ଗରେ ଲକ୍ଡାଉନ୍ ନିୟମର ଉଲ୍ଲଂଘନ କ୍ରମାଗତ ଜାରି ରହିଛି । ଏଥିରେ କ୍ଷୁବ୍ଧ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟର ମୁଖ୍ୟ ସଚିବ ରାଜୀବ ସିହ୍ନାଙ୍କ ନାମରେ ଆଉ ଏକ ଚେତାବନୀ ଚିଠି ଲେଖିଛନ୍ତି । ଏଥିରେ ପଶ୍ଚିମବଙ୍ଗ ସରକାରକୁ କରୋନା ସଂକ୍ରମଣ ପ୍ରଭାବିତ କ୍ଷେତ୍ରରେ ନିୟମ କାନୁନ ଅଧିକ କଡାକଡି କରିବାକୁ କୁହାଯାଇଛି ।
କେନ୍ଦ୍ର ସରକାର ଚିଠିରେ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟର କୋଲକାତା, ହାଓ୍ଵାଡା, ପୂର୍ବ ମେଦିନିପୁର, ଉତର ୨୪ ପ୍ରଗଣା, ଦାର୍ଜିଲିଂ, କାଲିମପୋଙ୍ଗ ଓ ଜଲପାଇଗୁଡି ଜିଲ୍ଲାରେ ସ୍ଥିତି ବହୁତ ଗମ୍ଭୀର ରହିଛି । ଏଠାରେ ଗୋଟିଏ ପଟେ ଦ୍ରୁତ ବେଗରେ ସଂକ୍ରମଣ ବ୍ୟାପିବାରେ ଲାଗିଥିବା ବେଳେ ଅନ୍ୟପଟେ ଅନାବଶ୍ୟକ ଦୋକାନ ଖୋଲିବାରେ ଲାଗିଛି । ସାମାଜିକ ଦୂରତ୍ୱ ନିୟମ ପାଳନ କରାଯାଉ ନାହିଁ । ଏଠାକାର ସ୍ଥିତିର ଯାଂଚ ପାଇଁ ସରକାର କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳୀୟ ଟିମ୍ ଗଠନ କରିଛି । ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଠିଟ ଟିମ୍ ପଶ୍ଚିମବଙ୍ଗର ଏହି ସବୁ ପ୍ରଭାବିତ ଅଂଚଳ ଗସ୍ତ କରିବେ । ଏହା ସହିତ ସ୍ଥିତି ପରଖିବା ପରେ ତତ୍କାଳ ନିଷ୍ପତି ମଧ୍ୟ ନେବେ । ଏହା ବ୍ୟତୀତ ଯାଂଚ ଟିମ୍ ରାଜ୍ୟର ଆବଶ୍ୟକ ନିର୍ଦ୍ଦେଶାନାମା ଜାରି କରିବେ ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ନିଜର ରିପୋର୍ଟ ଦେବେ ।
ଉଲ୍ଲେଖନୀୟ, ଏହା ପୂର୍ବରୁ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ରାଜ୍ୟ ସରକାର ଦ୍ୱାରା ଅନାବଶ୍ୟକ କାରବାର ଓ ଦୋକାନ ଖୋଲିବାକୁ ଅନୁମତି ଦେବା ଉପରେ କଡା ଆପତ୍ତି ପ୍ରକାଶ କରିଥିଲେ । କେନ୍ଦ୍ର ନିଜର ଚିଠିରେ କହିଥିଲେ ଯେ, ରାଜ୍ୟ ସରକାର ଦ୍ୱାରା କ୍ରମାଗତ ଦିଆଯାଉଥିବା ଅନୁମତି କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ର ଉଲ୍ଲଂଘନ କରୁଛି । ଏହା ବିପର୍ଯ୍ୟୟ ପ୍ରବନ୍ଧନ ଆଇନର ଅବହେଳା ସହ ସମାନ । ଏଥିରେ କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ମଧ୍ୟ ରହିଛି । ଏବେ ପୁଣି ଥରେ ଏହି ଧରଣର ଚିଠି କେନ୍ଦ୍ର ସରକାର ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି କେଖିଛନ୍ତି । କୁହାଯାଉଛି ଯେ, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏହାକୁ ନେଇ ତିକ୍ତତା ବଢିପାରେ ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନକୁ ନିୟମ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ସଂକ୍ରମଣ ଜୋନରେ ସଶସ୍ତ୍ର ପୋଲିସ ବଳ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବାକୁ ଆଦେଶ ଜାରି କରିଛନ୍ତି । ଏହା ପରେ ମଧ୍ୟ କୋଲକାତା, ହାଓ୍ଵାଡା ସମେତ ରାଜ୍ୟର ଅନ୍ୟ ସହରର ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି ।