
ଭଦ୍ରକ– ଭଦ୍ରକରେ ୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଭଣ୍ଡାରୀ ପୋଖରୀର ଦୁଇଟି ଓ ବାସୁଦେବପୁରର ତିନୋଟି ପଚାଂୟତକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ବାସୁଦେବପୁରର ବିନାୟକ ପୁର, ପଦମପୁର, ଲକ୍ଷ୍ମୀଦାସପୁର ଏବଂ ଭଣ୍ଡାରିପୋଖରୀର ରହଣିଆ, ତେସିଙ୍ଗା ପଚାଂୟତକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଉଭୟ ବ୍ଲକରେ ପ୍ରଶାସନ ପକ୍ଷରୁ ବ୍ୟାପକ କଟକଣା ଜାରୀ କରାଯାଇଛି । ସେହିପରି ସମ୍ପୃକ୍ତ ୫ ପଚାଂୟତରେ ସାଧାରଣ ବଂଟନ ବ୍ୟବସ୍ଥାକୁ ବାତିଲ୍ କରାଯାଇଛି । ସମ୍ପୃକ୍ତ ଅଂଚଳକୁ ପୋଲିସ ପକ୍ଷରୁ କର୍ଡ଼ନ କରାଯିବା ସହ ଉପଜିଲ୍ଲାପାଳଙ୍କୁ ନୋଡ଼ାଲ ଅଫିସର ଭାବେ ଦାୟୀତ୍ୱ ଦିଆଯାଇଛି । ବାହାରୁ ଅନେକ ଲୋକ ସମ୍ପୃକ୍ତ ଅଂଚଳକୁ ଆସିଛନ୍ତି । ତେଣୁ ଘର ଘର ବୁଲି ସର୍ଭେଲାନ୍ସ କରାଯିବ ବୋଲି ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଏଥିସହ ଭଦ୍ରକ ଆକ୍ରାନ୍ତଙ୍କ ଯାଜପୁର ସହିତ ଲିଙ୍କ୍ ନଥିବା କହିଛନ୍ତି ଜିଲ୍ଲାପାଳ ଶ୍ରୀ ଦାସ ।
ପ୍ରକାଶ ଥାଉ କି, ପ୍ରଥମେ ଜିଲ୍ଲାରୁ ତିନି ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଗତ ୬ ତାରିଖରେ ଭଦ୍ରକର ତିନୋଟି ସ୍ଥାନକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଥିଲା । ପୂର୍ବରୁ ଗତ ୧୫ ତାରିଖରେ ପୁରୁଣା ବଜାର ଅଂଚଳରେ ଲାଗିଥିବା କଂଟେନମେଂଟ କଟକଣା ପ୍ରତ୍ୟାହାର କରି ନିଆଯାଇଥିବା ବେଳେ ଗତକାଲି ଭଦ୍ରକର ଚରମ୍ପା ଓ ଏରେଇଁ ପଚାଂୟତକୁ କଂଟେନମେଂଟ ଜୋନ୍ ମୁକ୍ତ କରିଥିଲା ଜିଲ୍ଲା ପ୍ରଶାସନ । ହେଲେ ସମ୍ପ୍ରତି ଜିଲ୍ଲାରେ ଆଉ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପାଇଁ ଅଡ଼ୁଆ ବଢିଛି ।