ନୂଆଦିଲ୍ଲୀ– ଗୃହ ମନ୍ତ୍ରଣାଳୟ କେରଳ ସରକାର ଦ୍ୱାରା ଲକ୍ଡାଉନ୍ରେ ଦେଇଥିବା ଅତିରିକ୍ତ କୋହଳ ଉପରେ ଆପତ୍ତି ଉଠାଇଛି । ମନ୍ତ୍ରଣାଳୟ ଏହାକୁ ଗାଇଡ୍ଲାଇନ୍ର ଉଲ୍ଲଂଘନ ଦର୍ଶାଇ ରାଜ୍ୟ ସରକାରଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ଚିଠିରେ ଗାଇଡ୍ଲାଇନ୍ର କଡାକଡି ପାଳନ କରିବାକୁ କୁହାଯାଇଛି । ସୋମବାର ଗୃହ ସଚିବ ଅଜୟ ଭଲ୍ଲା କେରଳର ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖି ଗାଇଡ୍ଲାଇନ୍ରେ ଅତିରିକ୍ତ କୋହଳ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, କେନ୍ଦ୍ରର ଲକ୍ଡାଉନ୍ରେ ଅଧିକ କୋହଳ ଦେବାର ଅଧିକାର ରାଜ୍ୟ ପାଖରେ ନାହିଁ ।
ଗୃହ ମନ୍ତ୍ରଣାଳୟ କେରଳ ସରକାରକୁ କହିଛନ୍ତି ଯେ, ଜନଗହଳିପୂର୍ଣ୍ଣ ଅଂଚଳରେ ବସ ଚଳାଚଳକୁ ମଞ୍ଜୁରୀ, ଦୁଇ ଚକିଆ ଯାନ, କାରର ପଛ ସିଟ୍ରେ ଦୁଇ ଜଣ ଲୋକଙ୍କୁ ବସିବାକୁ ଅନୁମତି, ରେସ୍ତୋରାଁ ଓ ବହି ଦୋକାନ ଖୋଲିବାକୁ ଅନୁମତି ଦେବା କେରଳ ସରକାରଙ୍କ ନିର୍ଣ୍ଣୟ ଲକ୍ଡାଉନ୍ ନିୟମର ଉଲ୍ଲଂଘନ କରୁଛି। ମନ୍ତ୍ରଣାଳୟ ରାଜ୍ୟକୁ ସ୍ପଷ୍ଟ ଭାବେ କହିଛି ଯେ, ଲକ୍ଡାଉନ୍ ନିୟମରେ ଉଲ୍ଲଂଘନ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଗୁରୁତର ବିପଦରେ ପକାଉଛି । ଏଥିରେ କୋଭିଡ-୧୯ ବ୍ୟାପିବାର ସମ୍ଭାବନା ରହିଛି ।
ଗୃହ ମନ୍ତ୍ରଣାଳୟ ଏହା ମଧ୍ୟ କହିଛନ୍ତି ଯେ, ସାମାଜିକ ଦୂରତା ସମ୍ବନ୍ଧିତ ନିୟମର ଉଲ୍ଲଂଘନ କରାଯିବା ସହିତ ସହରାଂଚଳରେ ଯାନବାହାନର ଯାତାୟାତ ଦେଖିବାକୁ ମିଳୁଛି । ନିଜ ଆଦେଶରେ କେରଳ ସରକାର ଏସବୁ ଗତିବିଧି କରିବାକୁ ଅନୁମତି ଦେଇଛନ୍ତି, ଯାହା ଗୃହ ମନ୍ତ୍ରଣାଳୟ ଏପ୍ରିଲ ୧୫ରେ ଦେଇଥିବା ଆଦେଶର ଉଲ୍ଲଂଘନ କରୁଛି । କେରଳ ସରକାର ଦ୍ୱାରା ଦିଆଯାଉଥିବା ଏମିତି ଅତିରିକ୍ତ କୋହଳରେ ରାଜ୍ୟରେ ସ୍ଥାନୀୟ କାର୍ଯ୍ୟାଶାଳା ଖୋଲିଛି । ନଗରପାଳିକା ଅଧିନରେ ଆସୁଥିବା ମଧ୍ୟମ ଓ ଲଘୁ ଉଦ୍ୟୋଗ ମଧ୍ୟ ଖୋଲିବାକୁ ଆଦେଶ ଦେଇଛନ୍ତି । ଏସବୁ କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍କୁ ଉଲ୍ଲଂଘନ କରୁଥିବା ମନ୍ତ୍ରଣାଳୟ କହିଛି ।