
ନୂଆଦିଲ୍ଲୀ– ନୋଭେଲ୍ କରୋନା ଭାଇରସ୍ ମହାମାରୀ ନେଇ ଚୀନ ଉପରେ ଚାରି ଆଡୁ ଚାପ ବଢିବାରେ ଲାଗିଛି । ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ ପରେ ଏବେ ଅଷ୍ଟ୍ରେଲିଆ ଚୀନର ଆଭିମୁଖ୍ୟ ଉପରେ ଆଙ୍ଗୁଳି ଉଠାଇଛି । କରୋନା ଭାଇରସ୍ର ମୁକାବିଲା ପ୍ରସଙ୍ଗରେ ଚୀନ ଉପରେ ଚାପ ପକାଇ ଅଷ୍ଟ୍ରେଲିଆ ରବିବାର ଡ୍ରାଗନର ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇଛି । ଏହା ସହିତ ଭାଇରସ୍ର ଉତ୍ପତୀ ସ୍ଥଳ ଏବଂ କେମିତି ବ୍ୟାପିଲା ଏହି ଘଟଣାର ଅନ୍ତରାଷ୍ଟ୍ରୀୟ ଯାଞ୍ଚର ଦାବି କରିଛି।
କୁହାଯାଏ ଯେ, କରୋନା ଭାଇରସ୍ ଗତ ବର୍ଷର ଶେଷ ଆଡକୁ ମଧ୍ୟ ଚୀନର ଉହାନ ସହରରେ ବନ୍ୟଜୀବଙ୍କ ବିକ୍ରି କରୁଥିବା ବଜାରରୁ ଉତ୍ପତୀ ହୋଇଥିଲା । କରୋନା ଭାଇରସ୍ରେ ସମଗ୍ର ବିଶ୍ୱର ୨୧୦ର ପ୍ରାୟ ୨୩ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁରେ ୧ ଲକ୍ଷ ୬୦ ହଜାର ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି ।
ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ମାରିଜ ପାୟନେ କହିଛନ୍ତି ଯେ, ଚୀନର ପାରଦର୍ଶିତା ବିଷୟରେ ତାଙ୍କର ବହୁତ ଚିନ୍ତା ଥିଲା । ଏବିସି ଟେଲିଭିଜନ ସହ ଆଲୋଚନା ବେଳେ ସେ କହିଛନ୍ତି କରୋନା ଭାଇରସ୍ ପ୍ରସଙ୍ଗରେ ସ୍ୱତନ୍ତ୍ର ତଦନ୍ତ କରାଯିବା ଉଚିତ୍ । ସଂପ୍ରତି ଏହା ସବୁଠୁ ମହତ୍ୱପୂର୍ଣ୍ଣ । ବାସ୍ତବରେ ଅଷ୍ଟ୍ରେଲିଆ ଏହି ଦିଗରେ ପୂରା ଉଦ୍ୟମ ଜାରି ରଖିବ ।
ଅଷ୍ଟ୍ରେଲିଆରେ ରବିବାର ୫୩ ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅଷ୍ଟ୍ରେଲିଆ ନିଜର ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରଣାଳୀ ଉପରେ ବୋଝ ପଡିବା ପୂର୍ବରୁ ମହାମାରୀକୁ ନିୟନ୍ତ୍ରିତ କରିବାରେ ସଫଳ ହୋଇଛି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୬,୫୮୬ ରେ ପହଁଚିଛି । ଏହି ମହାମାରୀରେ ଅଷ୍ଟ୍ରେଲିଆରେ ୭୧ ଜଣଙ୍କ ପ୍ରାଣହାନୀ ଘଟି ସାରିଛି । ନୂତନ ମାମଲାର ବୃଦ୍ଧି ହାର କ୍ରମାଗତ ସାତ ଦିନ ହେବ ୧ ପ୍ରତିଶତ ତଳେ ରହିଛି, ଯାହା ଅନ୍ୟ ଦେଶ ତୂଳନାରେ ବହୁତ କମ ।