ନୂଆଦିଲ୍ଲୀ– ରାଜଧାନୀ ଦିଲ୍ଲୀରେ ଦ୍ରୁତ ଗତିରେ କୋଭିଡ୍-୧୯ର ସଂକ୍ରମଣକୁ ଦୃଷ୍ଟିରେ ରଖି କେଜ୍ରିଓ୍ଵାଲ ସରକାର ଲକଡାଉନରେ କୌଣସି କୋହଳ ଦେବା ମୁଡରେ ନାହାନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଦିଲ୍ଲୀରେ ଲକଡାଉନରେ କୌଣସି କୋହଳ କରାଯିବ ନାହିଁ। ସେ କହିଛନ୍ତି ଏପ୍ରିଲ ୨୭ରେ ଦିଲ୍ଲୀ ସରକାର ସମୀକ୍ଷା ବୈଠକ କରିବ । ବୈଠକରେ ସେହି ସମୟର ସ୍ଥିତିକୁ ଦେଖି ନିଷ୍ପତି ନିଆଯିବ ଯେ ଲକଡାଉନରେ କୋହଳ କରାଯିବ କି ନାହିଁ । ସଂପ୍ରତି ଦିଲ୍ଲୀର ସମସ୍ତ ୧୧ ଜିଲ୍ଲା ହଟ୍ସ୍ପଟ୍ ରହିଛି ।
କେଜ୍ରିଓ୍ଵାଲ ରବିବାର ଗଣମାଧ୍ୟମ ପ୍ରତିନିଧି ସହ ଆଲୋଚନା ବେଳେ କହିଛନ୍ତି ଦେଶର ମୋଟ୍ ଜନସଂଖ୍ୟାର ପ୍ରାୟ ୨ ପ୍ରତିଶତ ଲୋକ ଦିଲ୍ଲୀରେ ରହୁଛନ୍ତି । ମାତ୍ର ଦେଶରେ କରୋନାର ମୋଟ୍ ମାମଲାରୁ ୧୨ ପ୍ରତିଶତ ଦିଲ୍ଲୀର । ଅର୍ଥାତ ସଂପ୍ରତି ଲକଡାଉନରେ କୌଣସି କୋହଳ କରାଯିବ ନାହିଁ । କେଜ୍ରିଓ୍ଵାଲ କହିଛନ୍ତି ମୁଁ ଲୋକଙ୍କ ମୁସ୍କିଲକୁ ବେଶ୍ ଭଲ ଭାବେ ବୁଝି ପାରୁଛି । ଦିଲ୍ଲୀବାସୀଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଆମେ ନିର୍ଣ୍ଣୟ ନେଇଛୁ ସଂପ୍ରତି ଲକଡାଉନ ନିୟମରେ କୌଣସି ପରିବର୍ତନ କରାଯିବ ନାହିଁ । କେନ୍ଦ୍ର ସରକାର ମଧ୍ୟ କହିଛନ୍ତି ହଟ୍ସ୍ପଟ୍ ଓ କଣ୍ଟେନମେଣ୍ଟ ଅଞ୍ଚଳରେ ବର୍ତମାନ କୌଣସି କୋହଳ ଦିଆଯିବ ନାହିଁ । ଦିଲ୍ଲୀର ସମସ୍ତ ୧୧ ଜିଲ୍ଲା ହଟ୍ସ୍ପଟ୍ ଘୋଷିତ ହୋଇଛି । କେନ୍ଦ୍ର ସରକାରଙ୍କ ମୁତାବକ କଣ୍ଟେନମେଣ୍ଟ ଜୋନରେ ଏବେ କୌଣସି କୋହଳ ମିଳିବ ନାହିଁ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜିର ତାରିଖରେ ଦିଲ୍ଲୀରେ ୭୭ କଣ୍ଟେନମେଣ୍ଟ ଜୋନ୍ ରହିଛି । ଦିଲ୍ଲୀରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । କିନ୍ତୁ ସ୍ଥିତି ଏବେ ନିୟନ୍ତ୍ରଣ ବାହାରକୁ ଯାଇ ନାହିଁ । ବର୍ତମାନ ଦିଲ୍ଲୀରେ କରୋନା ସଂକ୍ରମିତ ସଂଖ୍ୟା ୧୯୯୩ ରହିଛି । ଏଥିରୁ ୨୬ ଆଇସିୟୁରେ ଏବଂ ୬ ଭେଂଟିଲେଟରେ ଅଛନ୍ତି ।
ଉଲ୍ଲେଖନୀୟ ଦିଲ୍ଲୀରେ ବିଶ୍ୱ ମହାମାରୀ କୋଭିଡ୍-୧୯ରେ ଏ ପର୍ଯ୍ୟନ୍ତ ୫୩ ଜଣଙ୍କ ମୃତ୍ୟୁ ଘଟି ସାରିଛି । ଗତକାଲି ୧୮୬ଟି ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ କରୋନା ରୋଗୀଙ୍କ ସଂଖ୍ୟା ୧୮୯୩କୁ ବୃଦ୍ଧି ଘଟିଛି । କିନ୍ତୁ ଆଶ୍ୱସ୍ତିକର କଥା ଏହା ଯେ, ଗତ ୨୪ ଘଂଟାରେ ୧୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଏ ପର୍ଯ୍ୟନ୍ତ ମୋଟ୍ ୨୦୭ ଜଣ ସୁସ୍ଥ ହୋଇ ସାରିଲେଣି ।