ରାଉରକେଲା– ରାଉରକେଲା ସହରର ବଜାର ହାଟ ଗୁଡିକରେ ଲୋକେ ସାମାଜିକ ଦୂରତାକୁ ଆଦୌ ମାନୁ ନଥିବା ଦେଖାଯାଇଛି । କରୋନାକୁ ନେଇ ଲକ୍ ଡାଉନ ଘୋଷଣା ହେବା ପରେ ସରକାର, ଜିଲ୍ଲା ପ୍ରଶାସନ ବାରମ୍ବାର ଏନେଇ ପ୍ରଚାର କରୁଥିଲେ ବି ବଜାର ଘାଟର ଅବସ୍ଥା ଓ ଦୃଶ୍ୟ ଏହାହିଁ ବର୍ଣ୍ଣନା କରୁଛି । ବିଶେଷ କରି ସହରର ବିଶ୍ରା ଛକ, ଛେଣ୍ଡର ଦୁଇଦିନିଆ ପରିବା ବଜାର (ରବିବାର /ବୁଧବାର), ସେକ୍ଟର୧୯ ପରିବା ବଜାର, ପାନ ପୋଷ ପରିବା ବଜାର, ସାର ନଗରୀ ପରିବା ବଜାର ଆଦି ଅଂଚଳରେ ଏହି ସବୁ ସମସ୍ୟା ଲାଗି ରହିଛି । ଖାଲି ସେତିକି ନୁହେଁ ଏହି ସବୁ ବଜାରରେ ବସୁଥିବା ବେପାରୀ ନିଜ ମୁହଁରେ ମାସ୍କ ଲଗାଉନଥିବା ବେଳେ ଅନେକ ଲୋକ ମଧ୍ୟ ମଧ୍ୟ ବିନା ମାସ୍କରେ ବଜାର କରୁଥିବା ଦେଖାଯାଉଛି । ସକାଳୁ ୩ଘଂଟା ଓ ସଂଧ୍ୟାରେ ୨ଘଂଟା ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ ନିମନ୍ତେ ପ୍ରଶାସନ ପକ୍ଷରୁ କୋହଳ କରାଯାଇଛି । ଏହି ସୁବିଧା ସତ୍ୱେ ପରିବା ବଜାରରେ ଲୋକଙ୍କ ଭିଡ଼ ଲାଗି ସଚେତନ ନାଗରିକ ମହଲରେ ଉଦବେଗ ପ୍ରକାଶ ପାଇଛି । ସାଧାରଣ ରାସନ ଦୋକାନ, ଔଷଧ ଦୋକାନ ଆଦିରେ ଲୋକଙ୍କୁ ଠିଆ ହେବା ଲାଗି ଗୋଲେଇ ଚିହ୍ନ ମାନ କରାଯାଇଛି । ଲୋକେ ଏଗୁଡିକୁ ୮୦ ପ୍ରତିଶତ ମାନି ଚାଲିଛନ୍ତି । ଲକ୍ ଡାଉନ ସମୟରେ ବଜାରକୁ ଅନେକ ଅଂଚଳରେ ଲୋକେ ବାହାରକୁ ମଧ୍ୟ ବାହାରୁ ନାହାନ୍ତି । ପ୍ରଶାସନର ପ୍ରଚାରଗାଡି ଗୁଡିକ ପ୍ରଚାର କରୁଛନ୍ତି । ହେଲେ ବଜାର ଘାଟରେ ପୁଲିସ କିମ୍ବା ପ୍ରଶାସନର ଅନ୍ୟ କୌଣସି ବିଭାଗ ଦୃଷ୍ଟି ଦେଉନଥିବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି । ଏହାରି ଭିତରେ ରାଉରକେଲା ପାଖ ବିଶ୍ରାରୁ ଦୁଇଜଣ କରୋନା ରୋଗୀ ବାହାରି ସାରିଛନ୍ତି । ତେଣୁ ସାମାଜିକ ଦୂରତା ନିହାତି ଆବଶ୍ୟକ ଥିଲେ ବି ଲୋକେ ତାଙ୍କ ହିସାବରେ ପ୍ରସାସନ ତାଙ୍କ ହିସାବରେ ଚାଲିଥିବା ଦେଖାଯାଇଛି ।
Related Stories
November 25, 2024