
ବ୍ରହ୍ମପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ସମସ୍ତଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି । ଅତିବଶ୍ୟକୀୟ ସାମଗ୍ରୀକୁ ଛାଡିଦେଲେ ଅନ୍ୟ ସାମଗ୍ରୀର ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ସରକାର ଖବର କାଗଜକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଘୋଷଣା କରିବାପରେ ବ୍ରହ୍ମପୁର ସହରର ଖବର କାଗଜ ବିତରକମାନେ ଏଭଳି ସମ୍ବେଦନଶୀଳ ସ୍ଥିତିରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ବଡି ଭୋରରୁ ଲୋକଙ୍କ ପାଖକୁ ଖବର କାଗଜ ପହଞ୍ଚାଇବାର ଗୁରୁଦାୟୀତ୍ୱ ନିୟମ ଓ ନିଷ୍ଠାର ସହ ସମ୍ପାଦନ କରୁଛନ୍ତି । ଏଭଳିସ୍ଥିତିକୁ ଦେଖି ସରକାର ବିତରକମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଏହି ମର୍ମରେ ଶନିବାର ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ସଭାପତି ବି.ଆନନ୍ଦ ରାଓ, ସମ୍ପାଦକ ଉପେନ୍ଦ୍ର ବିଶ୍ୱାଳ, ବଳରାମ ସାହୁ, ଏସ୍.ଏ ରାଓ, ପି.ଧର୍ମା ରେଡ୍ଡୀ, ଏସ୍.ଆନନ୍ଦ ରାଓ, ଏସ୍.ପୂର୍ଣ୍ଣଚନ୍ଦ୍ର ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।