ନୂଆଦିଲ୍ଲୀ– କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ(ଏମଓଏଚଏଫଡବ୍ଲ୍ୟୁ) ଦ୍ୱାରା ଜାରି ସୂଚନା ମୁତାବକ ଗଙ୍ଗା କୂଳରେ ସ୍ଥିତ ୫ ରାଜ୍ୟର ୪୬ ଜିଲ୍ଲାରେ ମାତ୍ର ୨୪ ଜିଲ୍ଲାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ଦେଶର ମୋଟ୍ ସଂକ୍ରମିତଙ୍କ ୨ ପ୍ରତିଶତରୁ ମଧ୍ୟ କମ ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଉତରାଖଣ୍ଡ, ଉତର ପ୍ରଦେଶ, ବିହାର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ଗଙ୍ଗା କୂଳଣରେ ଥିବା ୪୬ ଜିଲ୍ଲାରୁ କେବଳ ୨୪ ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏହି ଜିଲ୍ଲାଗୁଡିକରୁ ମୋଟ୍ ୨୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର ସକାଳ ସୁଦ୍ଧା ଦେଶରେ ଏହି ମହାମାରୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୩,୮୯୮କୁ ବୃଦ୍ଧି ଘଟିଛି ଓ ୪୮୦ ଜଣଙ୍କ ମୃତ୍ୟୁ ଘଟିଛି ।
ଏମଓଏଚଏଫଡବ୍ଲ୍ୟୁର ତଥ୍ୟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ଲକଡାଉନ ଘୋଷିତ ହେବା ପରେ ଦିଲ୍ଲୀ, ପଞ୍ଜାବ ଆଦି ରାଜ୍ୟରୁ ତରବରିଆ ଭାବେ ଗାଁକୁ ଫେରିଥିବା ହଜାର ହଜାର ଶ୍ରମିକ ମଧ୍ୟରୁ ଅଧିକାଂଶଙ୍କ ଘର ଗଙ୍ଗା ନଦୀ କୂଳରେ ଥିବା ଜିଲ୍ଲାରେ ରହିଛି । ସେମାନଙ୍କ ଫେରିବାକୁ ୧୮ ରୁ ୨୦ ଦିନ ହେବା ପରେ ମଧ୍ୟ ଉକ୍ତ ଅଂଚଳରେ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିନାହିଁ ।
ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁସାରେ ଗଙ୍ଗା ପ୍ରବାହ କ୍ଷେତ୍ରରେ ସ୍ଥିତ ପ୍ରଥମ ରାଜ୍ୟ ଉତରାଖଣ୍ଡରେ ସାତ ଜିଲ୍ଲାରୁ କେବଳ ୩ ଜିଲ୍ଲା କରୋନା ପ୍ରଭାବିତ ହୋଇଛନ୍ତି । ଏହି ୩ ଜିଲ୍ଲାରୁ ୨୪ ଜଣ କରୋନା ଚିହ୍ନଟ ହୋଇଛନ୍ତି । ସେହି ପରି ୟୁପିରେ ୨୪ ଜିଲ୍ଲା ଦେଇ ଗଙ୍ଗା ପ୍ରବାହିତ ହୋଇଛି । ଏଥିରୁ ୧୬ ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ୧୭୫ ରହିଛି । ବିହାରରେ ୧୨ ଜିଲ୍ଲା ଦେଇ ଗଙ୍ଗା ପ୍ରବାହିତ ହେଉଛି । ଏଥିରୁ ୫ ଜିଲ୍ଲାରେ ୩୧ କରୋନା ସଂକ୍ରମିତ ହୋଇଛନ୍ତି । ଝାରଖଣ୍ଡରେ ଗଙ୍ଗା ସାହିବଗଞ୍ଜ ଓ ପଶ୍ଚିମବଙ୍ଗରେ ମାଲଦା ଜିଲ୍ଲା ଦେଇ ଗତି କରିଛି । ଏହି ଦୁଇ ଜିଲ୍ଲାରେ ଏ ପର୍ଯ୍ୟନ୍ତ ଜଣେ ହେଲେ କରୋନା ସଂକ୍ରମିତ ହୋଇ ନାହାନ୍ତି ।
ବିଶେଷଙ୍ଗଙ୍କ ଅନୁଯାୟୀ ଗଙ୍ଗାଜଳରେ ଏକ ଭାଇରସ୍ ରହିଥାଏ ଯାହାକୁ ନିଞ୍ଜା ଭାଇରସ୍ କୁହାଯାଏ । ନିଞ୍ଜାର ଅର୍ଥ ଯୋଦ୍ଧା । ୧୦୦ ବର୍ଷ ପର୍ଯ୍ୟନ୍ତ ଏହି ଭାଇରସକୁ ଗଙ୍ଗା ନଦୀରେ ବହୁଳ ମାତ୍ରାରେ ଦେଖିବାକୁ ମିଳୁଥିଲା । ବୈଜ୍ଞାନିକ ଏହାକୁ ବ୍ୟାକ୍ଟେରିଆଫୋଜ୍ କୁହନ୍ତି ଏବଂ ଭାରତର ଜନତା ଏହାକୁ ଗଙ୍ଗାର ଗଙ୍ଗତ୍ୱ ନାମରେ ଜାଣିଥାନ୍ତି । ଗଙ୍ଗତ୍ୱ ଅର୍ଥାତ ଗଙ୍ଗାର ସେହି ତତ୍ୱ ଯାହା ଗଙ୍ଗା ଜଳକୁ କେବେ ବି ଦୂଷିତ କରିନଥାଏ ।
ଉଲ୍ଲେଖନୀୟ ଗଙ୍ଗା କୂଳରେ ଦେଶର ୧୫ ପ୍ରତିଶତରୁ ଅଧିକ ଜନବସତି ରହିଛି । ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଗଙ୍ଗା ସହିତ କୌଣସି ପ୍ରକାରେ ଜଡିତ ଅଛନ୍ତି । ଉତରାଖଣ୍ଡ, ଉତର ପ୍ରଦେଶ, ବିହାର, ଝାରଖଣ୍ଡ ପଶ୍ଚିମବଙ୍ଗର ଜନସଂଖ୍ୟା ଦେଶର ମୋଟ୍ ଜନସଂଖ୍ୟାର ୩୬ ପ୍ରତିଶତ ହେବ ।