

ଯାଜପୁର– ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ୍ ଅନ୍ତର୍ଗତ ବଡ଼କଇଁଚି ପଂଚାୟତର ଗୋପିନାଥପୁର ବଡ଼କଇଁଚି ଗ୍ରାମରେ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା ଓ ତହସିଲଦାର ଜ୍ୟୋତିକାନ୍ତ ଭୂଜବଳଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ । ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ରଂଜନ କୁମାର ଦାସ କରୋନା ସ୍ଥିତି ଅନୁଧ୍ୟାନ ସହ ବିଭିନ୍ନ ସ୍ଥାନରେ ସାମାଜିକ ଦୂରତ୍ୱ ଅନୁପାଳନ ସଂପର୍କରେ ରସୁଲପୁର ବ୍ଲକରେ ବିବିଧ ସ୍ଥାନକୁ ପରିଦର୍ଶନ କରିଥିଲେ । ତାଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ସହ ରସୁଲପୁର ବିଡିଓ, ତହସିଲଦାର ଓ କୁଆଖିଆ ଥାନା ଆଇ.ଆଇ.ସି ମନୋଜ କୁମାର ସ୍ୱାଇଁ ପ୍ରମୁଖ ପରିଦର୍ଶନରେ ଯାଇଥିଲେ । ତେବେ ଗୋପିନାଥପୁରଠାରେ ତିନିଜଣ ଅଜଣା ଯୁବକ ମୋଟର ସାଇକେଲରେ ଦ୍ରୁତ ଗତିରେ ବିନା ମାସ୍କରେ ଯାଉଥିବାବେଳେ ବିଡିଓ ଓ ତହସିଲଦାର ସେମାନଙ୍କୁ ଅଟକାଇ ଥିଲେ ମଧ୍ୟ ସେମାନେ ନ ଅଟକି ଆହୁରି ତୀବ୍ର ଗତିରେ ଗାଁକୁ ପଶି ଯାଇଥିଲେ । ଉଭୟ ଅଧିକାରୀ ଗାଁକୁ ଯାଇ ସେମାନଙ୍କୁ ଅଟକାଇ ଗାଡି଼ରେ ବୁଲିବା ନିଷେଧ ଥିବାବେଳେ ବିନା ମାସ୍କରେ କାହିଁକି ଦ୍ରୁତ ଗତିରେ ବୁଲୁଛ ବୋଲି ତାଗିଦ କରି ଫାଇନ କାଟିବାକୁ କହିବାବେଳେ ପ୍ରାୟ ୫୦/୬୦ ବ୍ୟକ୍ତି ସଂଘବଦ୍ଧ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ । ସୂଚନା ପାଇ ସାମାନ୍ୟ ଆଗକୁ ଯାଇଥିବା ଜିଲ୍ଲାପାଳ ସେଠାକୁ ଫେରି ଘଟଣା ସମ୍ପର୍କରେ ପଚାରିବା ବେଳେ ସେମାନେ ଉପସ୍ଥିତ ସମସ୍ତ ସରକାରୀ କର୍ମଚାରୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଉଦ୍ୟମ କରିଥିଲେ । ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ତତକ୍ଷଣାତ ପହଂଚି ଆକ୍ରମଣକାରୀଙ୍କ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରିବାରୁ ସେମାନେ ଛତ୍ରଭଙ୍ଗ ଦେଇଥିଲେ । ପୋଲିସ ଆକ୍ରମଣକାରୀଙ୍କ ମଧ୍ୟରୁ ତିନିଜଣ ରାଜନ ଖାଁ ପି. ଅବଦୁଲ କଲନ ଖାଁ, ପରବେଜ ଖାଁ ପି. ଅବଦୁଲ କଲନ ଖାଁ ଓ ସୋଫିଆନ ରାଜ ଖାଁ ପି. ଅବଦୁଲ ସଲାମଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରିଛନ୍ତି । ପରରାଉଚରା ସମୟରେ ସେମାନେ ନିଜାମୁଦ୍ଦିନ ଲିଙ୍କ୍ ଥିବା ବିଷୟରେ ଜାଣିବାକୁ ମିଳିଥିଲା । ତେବେ କରୋନାରେ ଭୟାବହତା ଜାଣିବା ସତ୍ୱେ, ସରକାର ସମସ୍ତଙ୍କୁ ମାସ୍କ ଲଗାଇବାକୁ ପରାମର୍ଶ ଦେବା ପରେ, ଅଯଥା ଗାଡି଼ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯିବା ପରେ ମଧ୍ୟ ଏଭଳି ବିଶୃଙ୍ଖଳତା ଅତ୍ୟନ୍ତ ପରିତାପର ବିଷୟ ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିଛନ୍ତି । ଏ ସମ୍ପର୍କରେ ଖବର ପାଇ ଏସ୍.ପି ଚରଣ ସିଂ ମିନା ଘଟଣାସ୍ଥଳରେ ପହଂଚି ପରିସ୍ଥିତିର ଅନୁଧ୍ୟାନ କରି ଫ୍ଲାଗମାର୍ଚ୍ଚ କରାଇଛନ୍ତି ।