ଯାଜପୁର– ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଝୁମ୍ପୁରୀ ବଜାରଠାରେ ଦୁଇଟି ଦୋକାନକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଓ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ନିର୍ଦ୍ଦେଶ କ୍ରମେ ସିଲ୍ କରି ଦିଆଯାଇଛି । ଶନିବାର ପୂର୍ବାହ୍ନରେ ଉଭୟ ଅଧିକାରୀ ଝୁମ୍ପୁରୀ ବଜାରର ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନରେ ସାମାଜିକ ଦ୍ୱରତା କିପରି ପାଳନ କରାଯାଉଛି ତାହାକୁ ଅନୁଧ୍ୟାନ କରିବା ସମୟରେ ଲୁଗାଦୋକାନ କରିଥିବା ସଞ୍ଜୟ ସାହୁଙ୍କର ଦୋକାନଟି ଖୋଲାଥିବା ଦେଖିଥିଲେ । ସେହିପରି କିଛି ଲୋକ ଚା’ ପିଉଥିବା ଦେଖି ଅଧିକାରୀମାନେ ଚା’ ଦୋକାନ ଖୋଲୁଥିବା ସମ୍ପର୍କରେ ଲୋକମାନଙ୍କୁ ପଚାରିଥିଲେ ମଧ୍ୟ ସେମାନେ ସଠିକ ଉତର ଦେଇ ନଥିଲେ । ଅଧିକାରୀ ମାନଙ୍କ ସନ୍ଦେହ ହେବାରୁ ସେହି ବସ୍ତ୍ରାଳୟ ସମ୍ମୁଖର ଏକ କ୍ୟାବିନକୁ ଖୋଲିବା ପରେ ସେଠାରେ ଚା’ ଦୋକାନ କରିଥିବା ମହେଶ୍ୱର ସାହୁଙ୍କୁ ଧରିଥିଲେ । ସେଠାରୁ ଗରମ ପାଣି କେଟଲି ଓ ନଗଦରେ ଚା’ କରିଥିବାର ପ୍ରମାଣ ମିଳିବା ପରେ ମହେଶ୍ୱରଙ୍କୁ ଫାଣ୍ଡିରେ ଅଟକ ରଖାଯିବା ସହ ଦୁଇଟିଯାକ ଦୋକାନକୁ ସିଲ୍ କରାଯାଇଥିଲା । ଉଭୟ ଦୋକାନୀଙ୍କ ନାମରେ ମାମଲା ରୁଜୁ କରିବାକୁ ତହସିଲଦାର ଓ ବି.ଡି.ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପରେ ଉଭୟ ଅଧିକାରୀ କାଟିଆ, ମଙ୍ଗଳପୁର ଇତ୍ୟାଦି ଅଂଚଳ ବୁଲି ବାଇକ୍ରେ ଅଯଥାରେ ବୁଲୁଥିବା ଅମାନିଆଙ୍କୁ ଧରି ଫାଇନ ଆଦାୟ କରିଥିଲେ । ସାମାଜିକ ଦୂରତା ଓ ମାସ୍କ ଲଗାଇବାକୁ ସମସ୍ତଙ୍କୁ ସଚେତନ କରାଇବା ସହ ଯେଉଁ ଗ୍ରାହକମାନେ ମାସ୍କ ଲଗାଉନାହାଁନ୍ତି ସେମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ ନ କରିବାକୁ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ପୂର୍ବରୁ ମଧ୍ୟ ସୁନ୍ଦରୀମୁହଁ, ରାମବାଗ ଇତ୍ୟାଦି ଅଂଚଳରେ ଅନୁରୂପ ଭାବେ ଧରପଗଡ଼ କରାଯିବା ସହ ଅମାନିଆଙ୍କୁ ସାବାଡ଼ ଓ ଲୋକମାନଙ୍କୁ କରୋନା ସଂପର୍କରେ ସଚେତନ କରାଯାଇଥିଲା । ଏହି ଅନୁଧ୍ୟାନ ସମୟରେ ଦଶରଥପୁର ବିଡିଓ ନାରାୟଣ ଚନ୍ଦ୍ର ନାୟକ, ଦଶରଥପୁର ତହସିଲଦାର ସୌଭାଗ୍ୟ ବେହେରା, ମଙ୍ଗଳପୁର ଥାନା ଆଇ. ଆଇ.ସି ଅସିତ ରଂଜନ ମହାନ୍ତି, ଅତିରିକ୍ତ ତହସିଲଦାର କୈଳାଶ ଚନ୍ଦ୍ର ମଲ୍ଲିକ, ଜିଲ୍ଲା ପଂଚାୟତ ଅଧିକାରୀ ଅଶୋକ କୁମାର ସେଠୀ ପ୍ରମୁଖ ଏଥିରେ ସାମିଲ ଥିଲେ ।