ଭୁବନେଶ୍ୱର– କରୋନା ହାଇ ରିସ୍କ ଥିବା ରାଜ୍ୟର ୯ଟି ଜିଲ୍ଲାର ସହରାଂଚଳରେ କୌଣସି ଘରୋଇ ଗାଡ଼ି ଚଳାଚଳ କରିପାରିବ ନାହିଁ । ସେହି ଜିଲ୍ଲାଗୁଡ଼ିକ ହେଉଛି ଖୋର୍ଦ୍ଧା, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କଟକ, ପୁରୀ, ଯାଜପୁର, କଳାହାଣ୍ଡି ଏବଂ ଢେଙ୍କାନାଳ । କେବଳ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବା ପାଇଁ ହିଁ ଏହି ଜିଲ୍ଲାଗୁଡ଼ିକରେ ଘରୋଇ ଗାଡ଼ି ଚଳାଚଳ କରିବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ସେହିପରି ଗ୍ରାମାଂଚଳରେ ଜଳ ସମ୍ପଦ ବିଭାଗର ଅଧା ବାକି ଥିବା କାମ ଚାଲୁ ରହିବ । ରାସ୍ତା ନିର୍ମାଣ, କୋଠା, ଏମଏସ୍ଏମଇ, ଶିଳ୍ପ ପ୍ରକଳ୍ପ ମଧ୍ୟ ଚାଲିବ । ଲକଡାଉନ୍ କଟକଣା ଏହି ସବୁ କାର୍ଯ୍ୟ ପାଇଁ ଲାଗୁ ହେବ ନାହିଁ । ପୂର୍ତ ବିଭାଗର ବିଭିନ୍ନ ନିର୍ମାଣ କାମ ଗ୍ରାମାଂଚଳରେ ଚାଲିବ । ଯେଉଁଥିରେ ରହିଛି ପୋଲ, ଜାତୀୟ ରାଜପଥ ନିର୍ମାଣ ଇତ୍ୟାଦି । ପଂଚାୟତିରାଜ ବିଭାଗ ପକ୍ଷରୁ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ହେଉଥିବା ମାସ୍କ ନିର୍ମାଣ, ପିପିଇ ଓ ସାନିଟାଇଜର୍ ଭଳି ଜରୁରୀ ସେବା ସାମଗ୍ରୀ ଉତ୍ପାଦନ ଓ ବିକ୍ରି ଏହି ଲକ୍ ଡାଉନ ବେଳେ ଚାଲିପାରିବ । ଏହାଛଡ଼ା ବିଦ୍ୟୁତ୍ ବିଭାଗର ବିଭିନ୍ନ କାର୍ଯ୍ୟ ବି ଲକଡାଉନ୍ ସମୟରେ ଚାଲୁ ରହିବ । ତେବେ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି ।