ବ୍ରହ୍ମପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ସମସ୍ତଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି । ଅତିବଶ୍ୟକୀୟ ସାମଗ୍ରୀକୁ ଛାଡିଦେଲେ ଅନ୍ୟ ସାମଗ୍ରୀର ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ସରକାର ଖବର କାଗଜକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଘୋଷଣା କରିବାପରେ ବ୍ରହ୍ମପୁର ସହରର ଖବର କାଗଜ ବିତରକମାନେ ଏଭଳି ସମ୍ବେଦନଶୀଳ ସ୍ଥିତିରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ବଡି ଭୋରରୁ ଲୋକଙ୍କ ପାଖକୁ ଖବର କାଗଜ ପହଞ୍ଚାଇବାର ଗୁରୁଦାୟୀତ୍ୱ ନିୟମ ଓ ନିଷ୍ଠାର ସହ ସମ୍ପାଦନ କରୁଛନ୍ତି । ଲକ୍ ଡାଉନ୍ ଯୋଗୁ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ୟାକେଜ୍ ଘୋଷଣାକରି ସହାୟତା ଦେଉଛନ୍ତି । ନିର୍ମାଣ ଶ୍ରମିକ, ଉଠା ଦୋକାନୀ ଆଦିକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି । ମାତ୍ର ଆର୍ଥିକ ଦୃଷ୍ଟିରୁ ଅତି ଦୁର୍ବଳ ଥିବା ଖବରକାଗଜ ବିତରକ ପାଇଁ କୌଣସି ସହାୟତା ଦିଆଯାଉନାହିଁ । ଏଭଳିସ୍ଥିତିକୁ ଦେଖି ସରକାର ବିତରକମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଏହାସହ ୩ଦଫା ସମ୍ବଳିତ ଏକ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯାଇଛି । ସମସ୍ତ ବିତରକଙ୍କୁ ବୀମାଭୁକ୍ତ କରିବା, ପ୍ରତି ହକରଙ୍କୁ ମାସିକ ୫ହଜାର ଟଙ୍କା ଲେଖାଏଁ ୩ମାସ ପାଇଁ ଭତ୍ତା ଦେବା, ମାଗଣା ମାସ୍କ, ସାବୁନ ଓ ସାନିଟାଇଜର ଆଦି ପ୍ରଦାନ କରିବା ପାଇଁ ସେମାନେ ଦାବି କରିଛନ୍ତି । ଏହି ମର୍ମରେ ସଭାପତି ବି.ଆନନ୍ଦ ରାଓ, ସମ୍ପାଦକ ଉପେନ୍ଦ୍ର ବିଶ୍ୱାଳଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।
Related Stories
November 24, 2024