ନୂଆଦିଲ୍ଲୀ– କରୋନା ଭାଇରସ୍ ମହାମାରୀ ଓ ଲକଡାଉନ କାରଣରୁ ଦେଶରେ ଉପୁଜିଥିବା ଆର୍ଥିକ ସଙ୍କଟରେ ଅର୍ଥବ୍ୟବସ୍ଥାକୁ ଗତି ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅନେକ ବଡ ବଡ ଘୋଷଣା କରିଛନ୍ତି । ଦାସ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ରେପୋ ରେଟ୍ ଅପରିବର୍ତିତ ରଖାଯିବା ସହ ରିଭର୍ସ ରେପୋ ରେଟ୍ ୦.୨୫ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛନ୍ତି । ଏହା ସହିତ ଆରବିଆଇ ଗଭର୍ଣ୍ଣର ନଗଦ ପ୍ରବାହ ପାଇଁ ୫୦ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି । ଦେଶରେ ସଂପ୍ରତି ୪୭୬.୫ ଅରବର ବିଦେଶ୍ରୀ ମୁଦ୍ରା ଗଚ୍ଛିତ ଥିବା ଗଭର୍ଣ୍ଣର କହିଛନ୍ତି।
ଦାସ କହିଛନ୍ତି କୋଭିଡ୍-୧୯ ମହାମାରୀ କାରଣରୁ ଦେଶ ସବୁଠୁ ଖରାପ ସମୟ ଦେଇ ଗତି କରୁଛି । ଆମକୁ ଏବେ ଏଥିରୁ ମୁକୁଳିବା ଲାଗି ପ୍ରୟାସ ଜାରି ରଖିବା ଉଚିତ୍ । ପୂରା ଦୁନିଆ ଆଜି କରୋନା ସାମ୍ନାରେ ବିବଶ । ଏହି କାରଣରୁ ପୂରା ଦୁନିଆର ଅର୍ଥବ୍ୟବସ୍ଥାକୁ ୯ ଟ୍ରିଲିୟନ ଡଲାର କ୍ଷତି ଘଟିବା ସହିତ ମନ୍ଦିର ଆଶଙ୍କା ରହିଛି । ମାତ୍ର ସେ କହିଛନ୍ତି ଯେ, ଭାରତ ପାଇଁ ଜିଡିପି ୧.୯ ପ୍ରତିଶତ ରହିବା ଆଇଏମଏଫର ଅନୁମାନ ଅନୁଯାୟୀ ଏହା ଜି-୨୦ ଦେଶଙ୍କ ମଧ୍ୟରୁ ସବୁଠୁ ଅଧିକ । ଲୋକଙ୍କୁ କେମିତି ଋଣ ସହଜରେ ମିଳି ପାରିବ ଏଥିପାଇଁ ରିଭର୍ସ ରେପୋ ରେଟ୍ ୦.୨୫ ପ୍ରତିଶତ ହ୍ରାସ କରିଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ।
ଏହା ବ୍ୟତୀତ ଆରବିଆଇ ଗଭର୍ଣ୍ଣର ଦାସ ତିନୋଟି ବିତୀୟ ସଂସ୍ଥାକୁ ଟିଏଲଟିଆରଓ ଜରିଆରେ ୫୦ ହଜାର କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଦାସ ନାବାର୍ଡ, ସିଡବି ଓ ନ୍ୟାସନାଲ ହାଉସିଂ ବ୍ୟାଙ୍କକୁ ୫୦ ହଜାର କୋଟି ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି । ଅନ୍ୟପଟେ ନାବାର୍ଡକୁ ସ୍ୱତନ୍ତ୍ର ରିଫାଇନାନ୍ସ ଅନ୍ତର୍ଗତ ୨୫ ହଜାର କୋଟି ଟଙ୍କା ମିଳିବ ବୋଲି ଆରବିଆଇ କହିଛି ।
ଏହା ବ୍ୟତୀତ ଆରବିଆଇ ଗଭର୍ଣ୍ଣର ଦାସ କହିଛନ୍ତି ଟାର୍ଗେଟ ଲଙ୍ଗ ଟର୍ମ ରେପୋ ଅପରେସନ(ଟିଏଲଟିଆରଓ) ଜରିଆରେ ମଧ୍ୟ ସିଷ୍ଟମରେ ୫୦ ହଜାର କୋଟି ଟଙ୍କା ରିଜର୍ଭ ବ୍ୟାଙ୍କ ପ୍ରଦାନ କରିବ । ସମଗ୍ର ଦେଶରେ ଏବେ ୯୧ ପ୍ରତିଶତ ଏଟିଏମ ପୂରା କ୍ଷମତା ସହିତ କାମ କରୁଛି । ଏହା ବ୍ୟତୀତ ଲକଡାଉନରେ ମୋବାଇଲ ଓ ନେଟବ୍ୟାଙ୍କିଙ୍ଗରେ ମଧ୍ୟ କୌଣସି ଅସୁବିଧା ନାହିଁ । ଏହା ସହିତ ସିଷ୍ଟମରେ ଲିକ୍ୟୁଡିଟି ବଜାୟ ରଖିବା ପାଇଁ ଆରବିଆଇ ଅନେକ ନୂତନ ପଦକ୍ଷେପ ଉଠାଇଛନ୍ତି ।
ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ମାର୍ଚ୍ଚ ୨୭ ପରେ ମ୍ୟାକ୍ରୋଇକୋନୋମିକର ଗତିବିଧିରେ ହ୍ରାସ ଘଟିଛି । ଗତ ମାସରେ ସର୍ଭିସେସ୍ ପିଏମଆଇ ନିମ୍ନମୁଖୀ ହୋଇଛି । ୨୦୨୦ରେ ରପ୍ତାନୀ ସ୍ଥିତି ଅଧିକ ଖରାପ ରହିଛି । ସେ କହିଛନ୍ତି ଲକଡାଉନ ପରେ ମଧ୍ୟ କୃଷି କ୍ଷେତ୍ରରେ ବୁଣା ସ୍ଥିତି ଏ ପର୍ଯ୍ୟନ୍ତ ଆଶାନୁରୂପ ରହିଛି । ଏବେ ପୁଣି ମୌସୁମୀ ସ୍ୱାଭାବିକ ହେବା ଗ୍ରାମାଂଚଳରେ ଚାହିଦା ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ ବ୍ୟାଙ୍କ ଓ କୋପୋରେଟିଭ୍ ବ୍ୟାଙ୍କ ମଧ୍ୟ କୌଣସି ଡିଭିଡେଣ୍ଡର ଅର୍ଥ ପୈଠ କରିବାର ଆବଶ୍ୟକତା ନାହିଁ । ଯଦି କୌଣସି କାରଣ ବଶତଃ ପ୍ରକଳ୍ପର ବିଳମ୍ବ ଘଟେ , ଯାହାକୁ ନିୟନ୍ତ୍ରଣ କରାଯାଇ ପାରିବ ନାହିଁ ସେହି ସ୍ଥିତିରେ ଏନବିଏଫସି ଲୋନକୁ ଗୋଟିଏ ବର୍ଷ ବଢାଯାଇପାରେ ।
ଦାସ କହିଛନ୍ତି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଙ୍କୁ ଧନରାଶି ଦିଆଯିବାକୁ ନିଷ୍ପତି ନିଆଯାଇଛି । ଗ୍ରାମାଂଚଳ ଅର୍ଥବ୍ୟବସ୍ଥାକୁକ ଗତିଶୀଳ କରାଇବାକୁ ଉଦ୍ୟମ ଜାରି ରହିଛି । ଏହା ସହିତ ସେ କହିଛନ୍ତି ବ୍ୟାଙ୍କକୁ ନିଜର ଫଣ୍ଡର ୫୦ ପ୍ରତିଶତ ରାଶି ଟିଏଲଟିଆରଓ-୨ ଆଧାରରେ କ୍ଷୁଦ୍ର ଓ ମଧ୍ୟମ ବର୍ଗ ଏନବିଏଫସିରେ ନିବେଶ କରିବା ଉଚିତ୍ । ସେ କହିଛନ୍ତି ରାଜ୍ୟର ଡବ୍ଲ୍ୟୁଡବ୍ଲ୍ୟୁଏ ସୀମା ୬୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ସୀମା ସେପ୍ଟେମ୍ବର ୩୦ ସୁଦ୍ଧା ଜାରି ରହିବ ।