ଜୟପୁର– କୋରାପୁଟ ଜିଲା ଜୟପୁର ସହର ସମେତ ଏହାର ଆଖପାଖ ଅଂଚଳରେ ପ୍ରତ୍ୟେକ ଦିନ ବ୍ୟାଙ୍କ ସମ୍ମୁଖରେ ହିତାଧିକାରୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି । ସରକାରଙ୍କ ପକ୍ଷରୁ ଉଜ୍ଜଳା, ଜନଧନ ହିତାଧିକାରୀ ଓ ନିର୍ମାଣ ଶ୍ରମିକଙ୍କ ଜମା ଖାତାରେ ଟଙ୍କା ଜମା ହେବା ପରେ ଏବେ ଏହି ଟଙ୍କା ଉଠାଇବା ପାଇଁ ଗ୍ରାହକ ମାନେ  ତତ୍ପର ହୋଇ ଉଠିଛନ୍ତି । ସମ୍ପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ସତ୍ୱେ ସରକାରୀ ସହାୟତା ଅର୍ଥ  ପାଇବା ପାଇଁ ଏଠାରେ ଅଧିକ ସଂଖ୍ୟାରେ ବୃଦ୍ଧ, ବୃଦ୍ଧା ଓ ମହିଳାଙ୍କ   ଭିଡ଼ ଦେଖିବାକୁ ମିଳୁଛି । ଲମ୍ବା ଧାଡ଼ିରେ ସେମାନଙ୍କୁ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡୁଛି । ହେଲେ ବ୍ୟାଙ୍କ କର୍ତୃପକ୍ଷ କିମ୍ବା ପ୍ରଶାସନ ପକ୍ଷରୁ ପିଇବା ପାଣିର ବ୍ୟବସ୍ଥା କରାଯାଇନାହିଁ । ସକାଳ ହେବା ମାତ୍ରେ ପାସ୍ ବୁକ୍ ଧରି ହଜାର ହଜାର ଲୋକ ଲମ୍ବା ଲାଇନରେ ଠିଆ ହେଉଛନ୍ତି । ସମ୍ପ୍ରତି କୋରାପୁଟ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରି ଉପରେ ରହୁଥିବା ବେଳେ ଜିଲାର ଜୟପୁର ସହର ସମେତ ଗାଁ ଗହଳିରେ ଥିବା  ଜାତୀୟକରଣ ବ୍ୟାଙ୍କର ଶାଖା ଓ ଜନସେବା କେନ୍ଦ୍ର ଗୁଡିକରେ  ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି । କରୋନା  ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକ୍ ଡାଉନ ଲାଗୁ ହେବା ପରେ କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, ମହିଳାଙ୍କ ନାମରେ ଥିବା ଜନଧନ ଖାତା ଗୁଡିକୁ ପ୍ରତି ମାସରେ ୫ ଶହ ଟଙ୍କା ଜମା ହେବ । ଏହି ଅର୍ଥ ୩ ମାସ ଯାଏ ମିଳିବ । ସେହିପରି ଉଜ୍ୱଳା ଯୋଜନାରେ  ଗୋଟିଏ ସିଲିଣ୍ଡର ପାଇଁ ୭୭୫ ଟଙ୍କା ଜମା ହୋଇଛି । ଏହି ଟଙ୍କା ଉଠାଇବା ପାଇଁ ବ୍ୟାଙ୍କରେ ଭିଡ଼ ଲାଗି ରହୁଛି । ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ପାରୁ ନାହିଁ । ବ୍ୟାଙ୍କରେ  କମ୍ ସଂଖ୍ୟକ କର୍ମଚାରିଙ୍କ ସହ ଇଂଟରନେଟ ସମସ୍ୟା ଯୋଗୁଁ ହିତାଧିକାରି ମାନେ ୮ରୁ୧୦ ଘଂଟା ଅପେକ୍ଷା କରିବାକୁ ପଡୁଛି । ରାଜ୍ୟ ସରକାର ମଧ୍ୟ ନିର୍ମାଣ ଶ୍ରମିକଙ୍କ ଆକାଉଂଟକୁ ୧୫ ଶହ ଟଙ୍କା ପଠାଇଛନ୍ତି । ଯେଉଁମାନଙ୍କ ମୋବାଇଲକୁ ଟଙ୍କା ପହଂଚିବା ମେସଜ ଆସିଯାଉଛି ସେମାନେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଦୌଡୁଛନ୍ତି । ଟଙ୍କା ଉଠାଇବା ପାଇ  ୨ରୁ ୩  ଥର ବ୍ୟାଙ୍କକୁ ଦଉଡ଼ିବାକୁ ପଡୁଛି । କୋରାପୁଟ ଜିଲାରେ  ବହୁ ପଚାଂୟତରେ ବ୍ୟାଙ୍କର ଶାଖା ନଥିବା ସହା ଗାଡି ମୋଟର କଟକଣା ଥିବାରୁ ଗାଁ  ଗହଳିରୁ ଲୋକ ମାନେ ଦଳ ଦଳ ହୋଇ  ଚାଲି ଚାଲି ବ୍ୟାଙ୍କରେ ପହଂଚୁଛନ୍ତି ।
ଗାଁ ଗହଳିରେ ରାସନ କାର୍ଡ଼ଧାରୀଙ୍କୁ ସେମାନଙ୍କ ଘରେ ଅର୍ଥ ଦିଆଯାଉଛି । ସେହିଭଳି ଭାବରେ ସହାୟତା ଅର୍ଥ ଦେଲେ ବ୍ୟାଙ୍କ ସମ୍ମୁଖରେ ଆଉ ଗହଳି ହୁଅନ୍ତା ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ତେଣୁ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ  ନେବାକୁ ଦାବି ହେଉଛି ।
                            
                        
	                    