ଭୋପାଳ– ମଧ୍ୟ ପ୍ରଦେଶ ଗୋଟିଏ ସପ୍ତାହ ପୂର୍ବେ ଦେଶର ସବୁଠୁ ଅଧିକ ସଂକ୍ରମିତ ୧୫ ରାଜ୍ୟ ମଧ୍ୟରେ ନଥିଲା, ମାତ୍ର ସଂକ୍ରମଣ ସଂଖ୍ୟା ଏତେ ମାତ୍ରାରେ ବୃଦ୍ଧି ପାଇ ଚାଲିଲା, ଏବେ ରାଜ୍ୟ ଶୀର୍ଷ ୧୦ରେ ସାମିଲ ହୋଇ ଯାଇଛି । ସବୁଠୁ ସଂକ୍ରମିତ ରାଜ୍ୟରେ ମଧ୍ୟ ପ୍ରଦେଶ ପଞ୍ଚମ ସ୍ଥାନରେ ରହିଛି। ଏଠାରେ ଯେତେ ଅଧିକ ନମୂନା ପରୀକ୍ଷଣ କରାଯାଉଛି ସେହି ଅନୁସାରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ୨୬ ଜିଲ୍ଲାକୁ ସଂକ୍ରମଣ ବ୍ୟାପି ସାରିଛି । କିନ୍ତୁ ଏବେ ମଧ୍ୟ ରାଜ୍ୟର ଅନ୍ୟ ୨୬ଟି ଜିଲ୍ଲା ରହିଛି, ଯେଉଁଠି ଗତ ସାତ ଦିନରେ ଗୋଟିଏ ହେଲେ ପଜିଟିଭ୍ କେସ୍ ଆସି ନାହିଁ । ମାତ୍ର କରୋନା ବିପଦ ଏବେ ମଧ୍ୟ ଲାଗି ରହିଛି । ରାଜ୍ୟର ୧୨ଟି ଜିଲ୍ଲା ରେଡ୍ ଜୋନରେ ଅନ୍ତର୍ଭୁକ୍ତ ହୋଇଛି । ଇନ୍ଦୋର, ଭୋପାଳ ସହିତ ୬ ଜିଲ୍ଲା କରୋନା ହଟସ୍ପଟ୍ ତାଲିକାରେ ଅଛନ୍ତି ।
ଗତ ୨୪ ଘଣ୍ଟାରେ ଇନ୍ଦୋର ଓ ଭୋପାଳରେ କରୋନା ସଂକ୍ରମଣ ବିସ୍ଫୋଟକ ସ୍ଥିତିରେ ପହଞ୍ଚି ଯାଇଛି । ଏକାକୀ ଗୋଟିଏ ଦିନରେ ୨୪୮ ନୂତନ ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଇନ୍ଦୋରରେ ଆକ୍ରାନ୍ତଙ୍କ ସଂଖ୍ୟା ୮୪୨କୁ ବୃଦ୍ଧି ଘଟିଛି । ସବୁଠୁ ବଡ କଥା ଏଥିରେ ୬ ମାସର ଶିଶୁ ମଧ୍ୟ ସାମିଲ । ଗତ ୨୪ ଘଂଟାରେ ଇନ୍ଦୋରରେ ୫ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ କେବଳ ଇନ୍ଦୋରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭ରେ ପହଁଚିଛି ।
ଭୋପାଳରେ ଅଦ୍ୟାବଧି ସଂକ୍ରମିତଙ୍କ ସଂଖ୍ୟା ୧୮୧ ରହିଛି । ନମୂନାର ଯାଂଚ ପାଇଁ ୫୦ ଟିମ୍ ନିୟୋଜିତ କରାଯାଇଛି । ଗତ ୨୪ ଘଂଟାରେ ୧୧ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ପରି ଗତ ୨୪ ଘଂଟାରେ ପୂରା ରାଜ୍ୟରେ ୨୭୧ ନୂତନ କୋଭିଡ୍-୧୯ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ୍ କରୋନା ସଂକ୍ରମିତ ସଂଖ୍ୟା ୧୨୫୫କୁ ବୃଦ୍ଧି ଘଟିଛି । ସ୍ୱାସ୍ଥ୍ୟ ବିଭାଗ ସହ ଆଇଏଏସ ଅଫିସର, ଅନ୍ୟ ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ପରିଜନକୁ ମିଶାଇ ୯୧ ଜଣ କରୋନା ସଂକ୍ରମିତ ହୋଇ ସାରିଛନ୍ତି ।