ପୁରୀ– ଲକ୍ ଡାଉନ୍ ପାଇଁ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିବାରୁ ପ୍ରତ୍ୟେକ ସେବାୟତ ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ । ଏହି ଟଙ୍କା ସେବାୟତଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ଟ୍ରାନ୍ସଫର ହେବ ବୋଲି ସେ କହିଛନ୍ତି ।
ଲକ୍ ଡାଉନ କଟକଣା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି । ଫଳରେ ସେବାୟତଙ୍କ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି । ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବାକୁ ସେମାନେ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଥିଲେ । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଥିବା ଜଣାପଡିଛି ।
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୈନନ୍ଦିନ ସେବାପୂଜାରେ ନିୟୋଜିତ ଥିବା ୨୧୩୦ ସେବାୟତ ପରିବାର ଏହାଦ୍ୱାରା ଉପକୃତ ହେବେ । ଏଥିପାଇଁ ସମୁଦାୟ ୧ କୋଟି ୬ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯିବା ପାଇଁ ନିଷ୍ପତି ହୋଇଛି ।