-
ପ୍ରଶାସନର ନିର୍ଦ୍ଦେଶକୁ ମାନିବାକୁ ବ୍ୟବସାୟୀଙ୍କୁ ପରାମର୍ଶ
ବ୍ରହ୍ମପୁୁର: କରୋନା ଭୁତାଣୁ ସଂକ୍ରମଣକୁ ରୋକ୍ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିବା ବେଳେ କିଛି ବ୍ୟବସାୟୀ ପାଳନ କରିବାକୁ ଅମଙ୍ଗ ହେଉଥିବା ଜଣାପଡିଛି । ବଡ ବଜାର ଅଞ୍ଚଳରେ ଲଗାତାର ଭାବେ ସାମାଜିକ ଦୂରତାର ନିୟମ ଉଲଙ୍ଘନ ହେଉଥିବାରୁ ସେଠାକାର କିଛି ଆଳୁ, ପିଆଜ, କଦଳୀ ବ୍ୟବସାୟୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବିଏମ୍ସି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଗୁରୁବାର ଏହି ପରିପ୍ରେକ୍ଷୀରେ ବ୍ୟବସାୟୀ ସଂଘର କର୍ମକର୍ତ୍ତା ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବ ନିଷ୍ପତ୍ତି ପ୍ରକାରେ ସହରର ବିଭିନ୍ନ ବିଦ୍ୟାଳୟରେ ଆଳୁ ବ୍ୟବସାୟ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେଥିରେ ଅମଙ୍ଗ ହେବାରୁ ମଧ୍ୟରାତ୍ରୀ ୧୨ଟାରୁ ଭୋର ୫ଟା ମଧ୍ୟରେ ସମସ୍ତ କାରବାର ସାରିବା ପାଇଁ ମଧ୍ୟ ବିକଳ୍ପ ନିର୍ଦ୍ଦେଶନାମା ଦିଆଯାଇଥିଲା । ଏଥିରେ କଦଳୀ ବ୍ୟବସାୟୀମାନେ ସମ୍ମତି ପ୍ରକାଶ କରିଥିଲେ ବି ଆଳୁ, ପିଆଜ ହୋଲ୍ସେଲ୍ ବ୍ୟବସାୟୀମାନେ ପୁନଃ ବିଚାର କରିବା ପାଇଁ କମିଶନରଙ୍କୁ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ କମିଶନର ଶ୍ରୀ ରାଠୋର କହିଛନ୍ତି ଯେ କରୋନା ଜନିତ ଅସାଧାରଣ ସ୍ଥିତିରେ ବ୍ୟବସାୟୀଙ୍କ ପାଇଁ କିଛି ସମସ୍ୟା ଉତ୍ପନ୍ନ ହୋଇଥିବା କଥା ସତ । ବ୍ରହ୍ମପୁର ସହରର ଜନସାଧାରଣ ଏବଂ ବ୍ୟବସାୟୀମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ କରୋନା ଜନିତ ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।