-
୧ହଜାର ବଦଳରେ ମିଳୁଛି ୯୦୦
-
ସୋସିଆଲ ମିଡିଆରେ ଭାଇରାଲ୍କୁ ନେଇ ଚର୍ଚ୍ଚା
ବ୍ରହ୍ମପୁର: କରୋନା ଭୁତାଣୁ ସଂକ୍ରମଣକୁ ରୋକ୍ ଲଗାଇବା ପାଇଁ ସାରା ଦେଶରେ ଜାରି ହୋଇଥିବା ଲକ୍ ଡାଉନ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପାଳନ କରୁଥିବା ବେଳେ ଜିଲ୍ଲାରେ ୧୯ଘଣ୍ଟିଆ ଆଶିଂକ ସଡ୍ ଡାଉନ୍ ମଧ୍ୟ ବଳବତ୍ତର ରହିଛି । ଏହି ମର୍ମରେ ଜନସାଧାରଣଙ୍କୁ ରାସନକାର୍ଡରେ ୩ମାସର ସାମଗ୍ରୀ ବଣ୍ଟନ ସହ ଆଗୁଆ ୪ମାସର ବିଭିନ୍ନ ଭତ୍ତା, ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଓ ପ୍ରତି ରାସନକାର୍ଡ ପିଛା ୧ହଜାର ଟଙ୍କା ପ୍ରଦାନ ପାଇଁ ସରକାର ବ୍ଲକ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଗଞ୍ଜାମ ଜିଲ୍ଲା ଓଡ଼ିଶା-ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଲକ୍ର ବରଙ୍ଗ ଓ କେସରିପଡା ପଞ୍ଚାୟତର ଭେଜିପଦର ଗ୍ରାମର ରାସନକାର୍ଡଧାରୀଙ୍କୁ ବୋକା ବନାଇ ଦାୟୀତ୍ୱରେ ଥିବା କିଛି ସରକାରୀ କର୍ମଚାରୀ କାର୍ଡ ପିଛା ୧୦୦ଟଙ୍କା ଠକି ନେଇଥିବା ଅଭିଯୋଗ ଆସିଛି । ବରଙ୍ଗ ଗ୍ରାମରେ ଜିଆର୍ଏସ୍ ଯୋଗାଣ ସହାୟକ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କିଛି କର୍ମୀଙ୍କ ଜରିଆରେ ପ୍ରତି ରାସନକାର୍ଡଧାରୀଙ୍କୁ ୧ହଜାର ଟଙ୍କା ଦେବାଭଳି ଖାତାରେ ଲେଖାଯାଇ ହିତାଧିକାରୀଙ୍କୁ ୯୦୦ଟଙ୍କା ଦେଇଥିଲେ । ପାଖ ଗ୍ରାମର ହିତାଧିକାରୀଙ୍କୁ ୧ହଜାର ଟଙ୍କା ମିଳିଥିବା ବେଳେ ଆମ ଗାଁରେ କାହିଁକି ୧୦୦ଟଙ୍କା କମ୍ ମିଳୁଛି ବୋଲି ହିତାଧିକାରୀମାନେ ପଚାରିଥିଲେ । ଏନେଇ ବିଡିଓଙ୍କୁ ଅବଗତ କରିଥିଲେ । ଗ୍ରାମର କିଛି ବ୍ୟକ୍ତି ମୋବାଇଲରେ ଭିଡିଓ ବାହାରକରି ସୋସିଆଲ ମିଡିଆରେ ଭାଇରାଲ୍ କରିଥିଲେ । ଏନେଇ ବିଡିଓ ପ୍ରକାଶ ଚନ୍ଦ୍ର ଦାସ କହିଛନ୍ତି ଯେ, ଭାଇରାଲ୍ ଭିଡିଓ ଦେଖିଛି । ହିତାଧିକାରୀ ଅଭିଯୋଗ କରିଛନ୍ତି । ଅଭିଯୋଗପରେ ସମ୍ପୃକ୍ତ ଗ୍ରାମର ହିତାଧିକାରୀଙ୍କୁ ପରେ ୧ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଘଟଣାର ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି । ଅନ୍ୟପଟେ ସମ୍ପୃକ୍ତ ଗ୍ରାମର ହିତାଧିକାରୀମାନେ ଖବର ଲେଖାହେବା ପର୍ଯ୍ୟନ୍ତ ବାକି ୧୦୦ଟଙ୍କା ମିଳିନଥିବା କହିଛନ୍ତି । ସେହିଭଳି ଭେଜିପଦର ଗ୍ରାମରେ ବି କିଛି ହିତାଧିକାରୀଙ୍କୁ ୧ହଜାର ବଦଳରେ ୯୦୦ଟଙ୍କା ମିଳିଥିବା ଜଣାପଡିଛି । ୯୦୦ଟଙ୍କା ହିିତାଧିକାରୀଙ୍କୁ ପ୍ରଦାନକରି ରାସନକାର୍ଡରେ ୧ହଜାର ଟଙ୍କା ଲେଖା ଯାଉଥିବା ସେମାନେ କହିଛନ୍ତି । ତେବେ ଗୁରୁବାର ବରଙ୍ଗ ଗ୍ରାମର ଘଟଣାକୁ ନେଇ କିଛି ସରକାରୀ କର୍ମଚାରୀମାନେ ଏଥିରେ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ସମୟରେ ସରକାରୀ ଯୋଜନାକୁ ବାଟମାରଣା କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।