-
କଟକଣା ଦେଖି ଫେରିଗଲେ କର୍ମଚାରୀ
ବ୍ରହ୍ମପୁର: ଗଞ୍ଜାମର ପଡୋଶୀ ଖୋର୍ଦ୍ଧା ଜିଲ୍ଲାରେ କରୋନା ରାଜ କରୁଥିବାରୁ ଏହା ଗଞ୍ଜାମକୁ ଅନୁପ୍ରବେଶ ରୋକିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅଚାନକ ଗହୀରାପଲ୍ଲୀ ଚେକ୍ ଗେଟ୍ ପରିଦର୍ଶନ କରିଛନ୍ତି । ରାସ୍ତା ଉପରେ ଜିଲ୍ଲାପାଳଙ୍କୁ ଦେଖି ମୋଟର ସାଇକେଲ୍ରେ ଆସୁଥିବା କେତେକ କର୍ମଚାରୀ ଭୟରେ ଦିଗ ବଦଳାଇ ପୁଣି ଭୁବନେଶ୍ୱର ଆଡକୁ ଫେରିଯାଇଛନ୍ତି । ସବୁ କଟକଣା ସତ୍ତ୍ୱେ ଭୁବନେଶ୍ୱରରୁ ଗଞ୍ଜାମ ଯାଆସ ନିୟନ୍ତ୍ରିତ ହୋଇପାରିଲା ନାହିଁ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ୧୬ନମ୍ବର ଜାତୀୟ ରାଜପଥ ଲଙ୍ଗଳଶ୍ୱେର ନିକଟସ୍ଥ ଗହୀରାପଲ୍ଲୀ ଚେକ୍ ଗେଟ୍ ଠାରେ ପୋଲିସ ତନଖି ଫାଟକ ଖୋଲାଯାଇଛି । ଭୁବନେଶ୍ୱରରୁ ଗଞ୍ଜାମ ଆସୁଥିବା ଯାନବାହାନ ଗୁଡିକର ନମ୍ବର, ଯାତ୍ରୀଙ୍କ ସଂଖ୍ୟା, ଯାତ୍ରାର ଉଦ୍ଦେଶ୍ୟ ଏବଂ ମୋବାଇଲ ନମ୍ବର ପଞ୍ଜିକରଣ କରାଯାଉଛି । ସେହିପରି ଗଞ୍ଜାମରୁ ଭୁବନେଶ୍ୱର ଯାଉଥିବା ଯାନ ଗୁଡିକର ମଧ୍ୟ ଅନୁରୂପ ପଞ୍ଜିକୃତ ହେଉଛି । ବିଶେଷକରି ଭୁବନେଶ୍ୱରରୁ ଆସୁଥିବା ଯାତ୍ରୀମାନଙ୍କ ଦ୍ୱାରା କରୋନା ଗଞ୍ଜାମରେ ପ୍ରବେଶ କରିବା ସମ୍ଭାବନା ଥିବାରୁ ଏହାକୁ ଅଧିକ ସମ୍ବେଦନଶୀଳ ତନଖି ଫାଟକ ଭାବରେ ବିବେଚନା କରାଯାଉଛି । ଗତିବିଧି ନିରୀକ୍ଷଣ ପାଇଁ ଜିଲ୍ଲାପାଳଙ୍କ ସହିତ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଖଲ୍ଲିକୋଟ ବ୍ଲକ୍ ଉନ୍ନୟନ ଅଧିକାରୀ ନବକୃଷ୍ଣ ଜେନା, ତହସିଲଦାର ଚକ୍ରଧର ପାଢ଼ୀ ମଧ୍ୟ ଏଥିରେ ସାମିଲ୍ ହୋଇଥିଲେ । ଗଞ୍ଜାମରେ ଅତି ଜରୁରୀ କାର୍ଯ୍ୟ ନଥିଲେ ଯେକୌଣସି ବ୍ୟକ୍ତି ବିଶେଷଙ୍କୁ ଏଠାରୁ ପ୍ରତ୍ୟାବର୍ତ୍ତନ କରାଇଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତିା ସେହିପରି ଗଞ୍ଜାମ ଜିଲ୍ଲାକୁ ଜାତୀୟ ରାଜପଥରୁ ଅନ୍ୟ ଏକ ଗଳାବାଟଥିବା କହ୍ନେଇପୁର ଛକରେ ମଧ୍ୟ ବାଉଁଶବାଡ କରାଯାଇଛି । ଏଠାରେ ପୋଲିସ ପ୍ରହରା ଜୋରଦାର ହୋଇଛି । ବିନା କାରଣରେ କୌଣସି ବ୍ୟକ୍ତିଙ୍କୁ ଏଠାରୁ ଜିଲ୍ଲା ମଧ୍ୟକୁ ଛଡାଯିବ ନାହିଁ । ଉଭୟ ସ୍ଥାନରେ ପୋଲିସକୁ ସହାୟତା କରିବା ପାଇଁ ଅନ୍ୟ ବିଭାଗୀୟ କର୍ମଚାରୀମାନେ ୨୪ଘଣ୍ଟା ଡେରା ପକାଇବେ । ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଜ୍ୟୋତି ଦାଶଙ୍କୁ ଉଭୟ ସ୍ଥାନର ମାଜିଷ୍ଟ୍ରେଟ ଦାୟୀତ୍ୱ ଦିଆଯାଇଛି । ବାବୁମାନଙ୍କ ଗତିବିଧି ଉପରେ କଡା ନଜର ରଖିବାକୁ ଜିଲ୍ଲାପାଳ ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।