ଭୋପାଳ– ମଧ୍ୟ ପ୍ରଦେଶରେ ଗତ ୨୪ ଘଂଟାରେ କରୋନା(କୋଭିଡ୍-୧୯)ର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦୦କୁ ବୃଦ୍ଧି ଘଟିଛି । ଏହି ସଂକ୍ରମଣ ରୋଗରେ ଅଦ୍ୟାବଧି ୫୭ ଜଣଙ୍କ ମୃତ୍ୟୁ ଘଟି ସାରିଛି । ଗୁରୁବାର ସକାଳ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୩୯ ରୋଗୀ ଚିହ୍ନଟ ହୋଇଛନ୍ତି । ଇନ୍ଦୋରରୁ ଦିଲ୍ଲୀ ପଠାଯାଇଥିବା ୨୦୦ ନମୂନାରୁ ୧୧୭ ପଜିଟିଭ୍ ଆସିଛି ।
ଏହା ବ୍ୟତୀତ ବିଳମ୍ବିତ ରାତ୍ରିରେ ଅନ୍ୟ ୪୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଇନ୍ଦୋରରେ ଗୋଟିଏ ଦିନରେ ୧୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯୨ ଜଣଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଇନ୍ଦୋରରେ ଗତକାଲି ୪ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଏଠାରେ ମୃତକଙ୍କ ସଂଖ୍ୟା ୩୯ ଛୁଇଁଛି । ପୂର୍ବରୁ ୧୧୭ ଜଣଙ୍କୁ କ୍ୱାରେନଟାଇନରେ ରଖାଯାଇଛି । ଅନ୍ୟପଟେ ଭୋପାଳରେ ୧୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛି । ଏହି ପରି ଭୋପାଳରେ ସଂକ୍ରମିତଙ୍କ ସଂଖ୍ୟା ୧୭୦ରେ ପହଁଚିଛି ।
ଗତ ୨୪ ଘଂଟାରେ ଇନ୍ଦୋରରେ ୧୬୪ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯୬କୁ ବୃଦ୍ଧି ଘଟିଛି । ୯୨ ଜଣଙ୍କ ଅବସ୍ଥା ସ୍ଥିର ରହିଛି । ମଧ୍ୟ ପ୍ରଦେଶରେ କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟର ଇନ୍ଦୋର, ଭୋପାଳ, ଉଜ୍ଜୈନ, ଖରଗୋନ ଓ ହୋସଙ୍ଗାବାଦ ଜିଲ୍ଲାକୁ ରେଡ୍ ହଟ୍ ସ୍ପଟ୍ ଘୋଷିତ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ୨୮ ଦିନରେ ରେଡ୍ ଆଲର୍ଟ ଘୋଷିତ ଜିଲ୍ଲାକୁ ଗ୍ରୀନ ଆଲର୍ଟରେ ବଦଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ନିୟମ କଡାକଡି ପାଳନ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି ।
ଉଲ୍ଲେଖନୀୟ, ମଧ୍ୟ ପ୍ରଦେଶର ଇନ୍ଦୋର ଓ ଭୋପାଳରେ ସବୁଠୁ ଅଧିକ କରୋନା ସଂକ୍ରମଣର ପ୍ରକୋପ ଦେଖିବାକୁ ମିଳିଛି । ଇନ୍ଦୋରରେ କଂଟେନମେଂଟ ଅଂଚଳ ସଂଖ୍ୟା ୧୨୫ ରହିଛି । ଏଥିରୁ କେବଳ ୨୫ ପ୍ରତିଶତ ଲୋକଙ୍କ ସ୍କ୍ରିନିଂ ହୋଇ ପାରିଛି । ତିନି ହଜାରରୁ ଅଧିକ ନମୂନା ସଂଗ୍ରହ ହୋଇ ପାରିଛି । ମାତ୍ର କଂଟେନମେଂଟ ଅଂଚଳରେ ଘର ଘର ବୁଲି ନମୂନା ସଂଗ୍ରହ ହୋଇ ପାରୁନାହିଁ । ସଂପ୍ରତି ସ୍କ୍ରିନିଂ ପାଇଁ ଇନ୍ଦୋରରେ ୪୬୫ ଟିମ୍ ନିୟୋଜିତ ହୋଇଛନ୍ତି । ଏହି ଛଅ ଦିନରେ ପ୍ରାୟ ସହରର ଅଢେଇ ଲକ୍ଷ ଲୋକଙ୍କ ଯାଂଚ ହୋଇ ପାରିଛି । ସହରରେ ୧୭୦୦ ଲୋକଙ୍କୁ ଏକେ କ୍ୱାରେନଟାଇନରେ ରଖାଯାଇଛି ।