ଭୁବନେଶ୍ୱର– ରାଜ୍ୟର ଯେଉଁ ଜିଲ୍ଲାରେ କରୋନା ସଂକ୍ରମଣ ହୋଇନାହିଁ ସେହି ଜିଲ୍ଲାରେ ପ୍ରତି ୧୦ ହଜାରରେ ଗୋଟିଏ ସାମ୍ପୁଲ ପରୀକ୍ଷା ହେବ । ଯେଉଁ ଡାକ୍ତର ନର୍ସ ଏବଂ ପାରା ମେଡିକାଲ ଷ୍ଟାଫ୍ କରୋନା ରୋଗୀଙ୍କ ସେବା କରୁଛନ୍ତି ୧୫ ଦିନ ପରେ ସେମାନଙ୍କ ସ୍ୱାବ ପରୀକ୍ଷା ହେବା ସହ ସେମାନଙ୍କୁ ହସ୍ପିଟାଲରେ ଫ୍ୟାସିଲିଟି କ୍ୱାରେଂଟାଇନ ରେ ରଖାଯିବ । ସ୍ୱାବ ପରୀକ୍ଷା ପରେ ଯଦି କରୋନା ଲକ୍ଷଣ ନ ବାହାରିଲା ସେମାନେ ପୁଣି ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ହେବେ ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅଜିତ ମହାନ୍ତି ସୂଚନା ଦେଇଛନ୍ତି ।
ସେହିପରି ହଟ୍ ସ୍ପଟ୍ ଭାବେ ଚିହ୍ନଟ ହୋଇଥିବା ଦୁଇ ଜିଲ୍ଲାରେ ୩ଟି ପର୍ଯ୍ୟାୟରେ କରୋନା ପରୀକ୍ଷା ହେବ । ପ୍ରଥମ ପର୍ଯ୍ୟାୟରେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ରୋଗୀ ଙ୍କ ପରିବାରର ସ୍ୱାବ ଟେଷ୍ଟ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ପୋଲିସ ଓ ମ୍ୟୁନିସିପାଲଟି ସଫେଇ କର୍ମଚାରୀ ଙ୍କ ନମୂନା ପରୀକ୍ଷା ହେବ ଏବଂ ତୃତୀୟ ପର୍ଯ୍ୟାୟରେ ବଳକା ଲୋକଙ୍କ ରେଣ୍ଡମଲି ପରୀକ୍ଷା ହେବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।