
ଭୁବନେଶ୍ୱର – କରୋନା ମୁକାବିଲା ନେଇ ଗୁରୁବାର ଦିନ ଏକ ଉଚ୍ଚ କ୍ଷମତାସମ୍ପନ୍ନ ମନ୍ତ୍ରୀ ସ୍ତରୀୟ ବୈଠକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ବୈଠକରେ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି, ମହିଳା ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ପ୍ରମୁଖ ସାମିଲ ହୋଇଥିଲେ ।
ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଛି । ରାଜସ୍ୱ ବିଭାଗର ଯେମିତି ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ରହିଛି, ସେଭଳି ଓଡ଼ିଶାରେ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ରରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇ ସେମାନଙ୍କୁ ପ୍ରସ୍ତୁତ କରାଯାଇପାରିବ ବୋଲି ସେ କହିଛନ୍ତି ।
ରାଜ୍ୟରେ ଅଧିକରୁ ଅଧିକ ସଂଖ୍ୟାରେ କୋଭିଡ୍ ପରୀକ୍ଷା ଯେପରି ହୋଇ ପାରିବ ସେ ନେଇ ମନ୍ତ୍ରୀ ଶ୍ରୀ ଦାସ ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ ବଲାଙ୍ଗୀର ମେଡିକାଲ କଲେଜରେ କୋଭିଡ୍ ପରୀକ୍ଷା ବ୍ୟବସ୍ଥା କରାଯିବା ସହିତ ବୁର୍ଲାରେ ଆଉ ୨ ଗୋଟି ମେସିନ ବସାଯିବାକୁ ପ୍ରସ୍ତାବ ଆଗତ କରିଥିଲେ । ମନ୍ତ୍ରୀ ଦାସ କହିଥିଲେ ଯେ, ଯେତେ ଅଧିକ ପରୀକ୍ଷା କରାଯାଇ ପାରିବ ସେତେ ଅଧିକ ସଂକ୍ରମଣ ରୋକାଯାଇ ପାରିବ । ଏଥିପାଇଁ କେନ୍ଦ୍ର ସରକାର ବିପୁଳ ସଂଖ୍ୟାରେ ପରୀକ୍ଷଣ ସରଞ୍ଜାମ ଯୋଗାଇ ଦେବା ସହିତ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଭୁବନେଶ୍ୱର ସମ୍ ହସପିଟାଲ, କିମ୍ସ ହସପିଟାଲ, ହାଇଟେକ୍ ମେଡିକାଲ କଲେଜରେ ମଧ୍ୟ କୋଭିଡ୍ ପରୀକ୍ଷା ପାଇଁ ଅନୁମତି ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପ୍ରେରଣ ପାଇଁ ମତ ଦେଇଥିଲେ ।
ରାଜ୍ୟରେ ଏବେ ୧ ହଜାର ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଆଗାମୀ ଦିନରେ ଏହାକୁ ୨ ରୁ ୩ ହଜାର ନମୁନା ଯେଭଳି ପରୀକ୍ଷା ହୋଇ ପାରିବ ସେ ନେଇ ନିଷ୍ପତି ନିଆଯାଉ ଥିବା ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇ କହିଛନ୍ତି ଯେ, ଦିଲ୍ଲୀରେ ୯ ଗୋଟି ନମୁନାରେ ଗୋଟିଏ, ତାମିଲନାଡ଼ୁରେ ୧୦ ଗୋଟି ନମୁନାରେ ଗୋଟିଏ ପଜିଟିଭ୍ ବାହାରୁ ଥିବା ବେଳେ ଓଡ଼ିଶାରେ ୧୦୦ ନମୁନାରେ ଗୋଟିଏ ପଜିଟିଭ୍ ବାହାରୁଛି ।
ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ଟ୍ରେନିଂ ଓ କାପାସିଟି ବିଲ୍ଡିଂ କୁ ଗୁରୁତ୍ୱ ଦିଆଯାଉଛି । କୋଭିଡକୁ କିଭଳି ମୁକାବିଲା କରିହେବ ଏବଂ ଅଧିକ ମାନବ ସମ୍ବଳ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି । ଗୋଷ୍ଠୀ ସ୍ତରରେ କରୋନା ମୁକାବିଲା ପାଇଁ ଅଧିକ ମ୍ୟାନ ପାୱାର ନିୟୋଜିତ ହୋଇପାରିବେ ସେନେଇ ଆଲୋଚନା ହୋଇଛି । ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଏ ଏନଏମ ଓ ଡାକ୍ତର ମାନକୁ ଅଧିକ ସଂଖ୍ୟାରେ ତାଲିମ ପାଇଁ ଗୁରୁତ୍ୱ ଦିଆଯାଇଛି । ବର୍ତମାନ ସୁଧା ଏକ ଲକ୍ଷ ୫୩ ହଜାର ଜଣଙ୍କୁ ତାଲିମ ଦିଆଯାଇଛି । ଅଧିକ ତାଲିମ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଉଛି । ସବୁ ପୁରୁଣା ଓ ନୂଆ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କରୋନା ଟେଷ୍ଟିଂ ଲାବ୍ରୋଟାରୀ ଖୋଲିବା ପାଇଁ ସୁପାରିଶ କରାଯାଇଛି । ସେହିପରି ରାପିଡ ଟେଷ୍ଟ ପାଇଁ ଟେଷ୍ଟିଂ କିଟ୍ କିଣିବାକୁ ସୁପାରିଶ କରାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି ।