ମୋହନା– ଗଜପତି ଜିଲ୍ଲା ଅଡ଼ବା ଥାନା ଅଂଚଳରେ ଚାଲିଥିବା ବେଆଇନ ମଦ କାରବାର ସମ୍ପର୍କରେ ସୂଚନା ପାଇ ପୋଲିସ ସେଠାରେ ଚଢ଼ଉ କରିଥିବା ବେଳେ ମଦ୍ୟପଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଛି । ଫଳରେ ୭ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଘଟଣାରେ ପୋଲିସ ୨୭ ଜଣଙ୍କୁ ଗିରଫ କରିଛି ।
ଗତକାଲି ପୋଲିସ ଏହି ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ ପେଟ୍ରୋଲିଂ କରୁଥିଲା । ଏହି ସମୟରେ ବେଆଇନ ମଦ କାରବାର ସମ୍ପର୍କରେ ସୂଚନା ପାଇ ସେଠାରେ ଚଢ଼ଉ କରିଥିଲା । ଏପରିକି ପୋଲିସ ମଦ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଗିରଫ କରି ଥାନାକୁ ଆଣୁଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା କେତେକ ମଦ୍ୟପ ପୋଲିସ ଉପରେ ଆକ୍ରମଣ କରିଥିଲେ । ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ । ଫଳରେ ୭ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାପଡିଛି । ଆଜି ସକାଳେ ପୋଲିସ ଉକ୍ତ ଗ୍ରାମରେ ଚଢ଼ଉ କରି ୧୩ ଜଣଙ୍କୁ ଗିରଫ କରିଛି । ଏଥିସହ ମଦ କାରବାର ଅଭିଯୋଗରେ ସେହି ଗ୍ରାମର ଅନ୍ୟ ୧୪ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଫଳରେ ମାମଲାରେ ଗିରଫ ଦାରୀ ସଂଖ୍ୟା ୨୭ ରେ ପହଂଚିଛି । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର୍ ହୋଇଯାଇଛି ।