ବ୍ରହ୍ମପୁର: ଲକ୍ ଡାଉନ୍ ମେ ୩ତାରିଖରେ ଶେଷ ହେବ । ପରେ ବାହାର ରାଜ୍ୟରେ ଥିବା ଗଞ୍ଜାମ ଜିଲ୍ଲାର ଲୋକମାନେ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ଅଧିକ ହୋଇଛି । ଏଥିପାଇଁ ସାମଗ୍ରୀକ ପ୍ରସ୍ତୁତିକୁ ଠିକ୍ ଭାବରେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମ ସ୍ତରରେ ଏବଂ ସହରାଞ୍ଚଳରେ ସମସ୍ତ ସ୍କୁଲ ଘର, ଅନ୍ୟାନ୍ୟ ସରକାରୀ ଘର, ବାତ୍ୟା ଆଶ୍ରୟସ୍ଥଳ, କଲ୍ୟାଣ ମଣ୍ଡପ ପ୍ରଭୃତି ପ୍ରସ୍ତୁତକରି ରଖାଯିବ । ସେଠାରେ ପାଇଖାନା, ପାନୀୟ ଜଳ ଏବଂ ବିଦ୍ୟୁତ୍ ବ୍ୟବସ୍ଥା ସୁନିଶ୍ଚିତ କରାଯିବ । ଯେଉଁ ଠାରେ ପାଇଖାନା ନାହିଁ ସେଠାରେ ତୁରନ୍ତ ପାଇଖାନା ନିର୍ମାଣ କରାଯିବ । ନିମ୍ନମାନର ପାଇଖାନା ହେଲେ ଅଧିକାରୀଙ୍କ ଦରମାରୁ ସେହି ଅର୍ଥ ଭରଣା କରାଯିବ । ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଡାକ୍ତରୀ ପରୀକ୍ଷା ଅନିବାର୍ଯ୍ୟ । ସେମାନଙ୍କୁ ୨୧ଦିନିଆ କ୍ୱରାଣ୍ଟାଇନରେ ରଖାଯିବ । ଯେଉଁ କର୍ମଚାରୀମାନେ ଭୁବନେଶ୍ୱରରୁ ଫେରିବେ ସେମାନଙ୍କ ପାଇଁ ୨୧ଦିନିଆ କ୍ୱରାଣ୍ଟାଇନ୍ ବାଧ୍ୟତାମୂଳକ । ଅଧିକାରୀ ଏହା ସୁନିଶ୍ଚିତ ନକଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ । ଜିଲ୍ଲାରେ ଅଦ୍ୟାବଧି ବାହାର ରାଜ୍ୟର ଲୋକମାନଙ୍କୁ ଯେଉଁସବୁ ଟ୍ରାଞ୍ଜିକ୍ଟ କାମ୍ପରେ ରଖାଯାଇଛି ସେମାନଙ୍କ ପାଇଁ ଦୈନିକ ସାରଣୀ ଧାର୍ଯ୍ୟ କରିବା ସହିତ ମନୋରଞ୍ଜନ ପାଇଁ ସେଠାରେ ଟେଲିଭିଜନ ସେଟ୍ ଲଗାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ଯାଞ୍ଚ ଗେଟ୍ ଗୁଡିକ ପୋଲିସ ସହିତ ସରକାରୀ କର୍ମଚାରୀମାନେ କାର୍ଯ୍ୟରତ ରହିବେ । ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ପାଇଁ ଆଗ୍ରହ ପ୍ରକାଶ ପାଉଥିବାରୁ ସେଥିପାଇଁ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ୟୁନିଟ୍ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରୀ ପରାମର୍ଶ ପାଇଁ ଜିଲ୍ଲା ବାହାରକୁ ଯିବାର ଥିଲେ ଉପଜିଲ୍ଲାପାଳ ପାସ୍ ପ୍ରଦାନ କରିପାରିବେ । ସାମାଜିକ ଦୂରତା ଅବଲମ୍ବନକରି ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟ ଆଗେଇନେବାକୁ ଜିଲ୍ଲାପାଳ କହିଛନ୍ତି । ବିଭିନ୍ନ ପେନ୍ସନ୍ ଓ ଭତ୍ତା ନିର୍ଦ୍ଦିଷ୍ଟ ବ୍ୟକ୍ତି ବ୍ୟତୀତ ଅନ୍ୟ କୌଣସି ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।
Related Stories
November 24, 2024
November 24, 2024