-
ଦୋକାନ ମାଲିକ ଓ ଅବକାରୀ ଇନ୍ସିପେକ୍ଟରଙ୍କୁ କାରଣଦର୍ଶାଅ ନୋଟିସ୍
ବ୍ରହ୍ମପୁର: ସମଗ୍ର ଦେଶରେ କରୋନା ଭୁତାଣୁ ସଂକ୍ରମଣକୁ ରୋକ ଲଗାଇବା ପାଇଁ ଲକ୍ ଡାଉନ୍ ଜାରି ରହିଥିବା ବେଳେ ବ୍ରହ୍ମପୁର ସହର ମଧ୍ୟ ଏଥିରୁ ବାଦ୍ ପଡିନି । ସହରରେ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଦିନ ଦ୍ୱିପ୍ରହରରେ ଅବକାରୀ ବିଭାଗ ପକ୍ଷରୁ ସିଲ୍ ପଡିଥିବା ମଦ ଦୋକାନରୁ ମଦ ପେଟି ଗାଡିରେ ନେବା ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସଂକ୍ରମଣକୁ ରୋକିବାରେ ଜିଲ୍ଲା ପ୍ରଶାସନକୁ ସାରା ରାଜ୍ୟ ତଥା ଖୋଦ୍ ମୁଖ୍ୟମନ୍ତ୍ରୀ ସାବାସୀ ଦେଉଥିବା ବେଳେ ଜିଲ୍ଲା ଅବକାରୀ ବିଭାଗର କିଛି ଅଧିକାରୀଙ୍କ ଏଭଳି କାରବାରକୁ ନେଇ ଏବେ ନିନ୍ଦାର ବିଷୟ ହୋଇଛି । ଅବକାରୀ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ସରକାରୀ ମଦ ଦୋକାନରୁ ମଦ ଚୋରା କାରବାର କରାଯାଉଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ପୁରୁଣା ବସ୍ଷ୍ଟାଣ୍ଡ ଟ୍ରାଫିକ୍ ଥାନା ନିକଟ ଏକ ସରକାରୀ ବିଦେଶୀ ମଦ ଦୋକାନକୁ ଅବକାରୀ ବିଭାଗ ସିଲ୍ କରିଛି । ତେବେ ଦୋକାନ ସାଇଡ୍ରେ ଥିବା ଏକ ରାସ୍ତାଦେଇ ୭/୮ଟି ମଦ ପେଟି ଅବକାରୀ ବିଭାଗର ଗାଡିରେ ଚାଲାଣ ହେଉଥିବା ସହରର କିଛି ଗଣମାଧ୍ୟମ ବ୍ୟକ୍ତି ଦେଖିଥିଲେ । ଏହାର ଫଟୋ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଜିଲ୍ଲାପାଳ ଘଟଣାକୁ ଗୁରୁତର ସହ ନେଇ ବ୍ରହ୍ମପୁର ଅବକାରୀ ଅଧିକ୍ଷକଙ୍କୁ ଘଟଣାର ତଦନ୍ତକରି ରିପୋର୍ଟ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଅବକାରୀ ଅଧିକାରୀ ମଦ ଚାଲାଣ ବେଳେ ଉପସ୍ଥିତ ଥିବା ସଦର ଇନ୍ସିପେକ୍ଟର ରୋସନ ହଂସଦାଙ୍କୁ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହାର ସର୍ବିଶେଷ ତଥ୍ୟ ସହ କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ସେପଟେ ମଦ ଦୋକାନକୁ ମଧ୍ୟ କାହା ନିର୍ଦ୍ଦେଶରେ ଖୋଲାଯାଇଛି ଓ କେଉଁ ପରିସ୍ଥିତିରେ ମଦ ଚାଲାଣ କରାଯାଉଥିବା ତାହାର ମଧ୍ୟ କାରଣ ଦର୍ଶାଅ ନୋଟିସ୍ ମଗାଯାଇଥିବା ଅଧିକ୍ଷକ ସୂଚନା ଦେଇଛନ୍ତି ।