ଗଞ୍ଜାମ– କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନୂତନ ଗାଇଡ଼୍ ଲାଇନ୍ ଜାରୀ କରିଛନ୍ତି । ତଦନୁଯାୟୀ, ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ । ସେହିପରି ମୁହଁରେ ମାସ୍କ, ରୁମାଲ୍ କିମ୍ବା ଗାମୁଛା ବାନ୍ଧିନଥିଲେ ୨୦୦ ଟଙ୍କା ଜରିମାନା ଆଦାୟ କରାଯିବ । ଏହା ସହିତ ଲୋକ ମାନେ ୨ ମିଟର ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯିବା ବେଳେ ଦୁଇ କିମ୍ବା ଅଧିକ ଲୋକ ଏକାଠି ଚାଲି ଚାଲି ଯିବା ଉପରେ ମଧ୍ୟ କଟକଣା ଜାରୀ କରିଛନ୍ତି ଜିଲ୍ଲାପାଳ । ଏହାକୁ ଅମାନ୍ୟ କଲେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ଜିଲ୍ଲାର ପ୍ରମୁଖ ଅଧିକାରୀ ମାନଙ୍କୁ ଚିଠି ଲେଖି ସେ ଏହି ନିର୍ଦ୍ଦେଶ ଜାରୀ କରିଛନ୍ତି । ଲୋକଙ୍କୁ ଏଥିପ୍ରତି ସଚେତନ କରିବା ସହ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।