ନୂଆଦିଲ୍ଲୀ– କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସମଗ୍ର ଦେଶ ଲଢ଼ୁଥିବା ବେଳେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ନାନାବିଧ ପଦକ୍ଷେପ ଗ୍ରହଣ କରି ଏଥିରେ ସାମିଲ ହୋଇଛି । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଡୁଥିବା ସ୍ୱାସ୍ଥ୍ୟକର୍ମୀ ଓ ସହାୟକମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ଯୋଗାଯୋଗ ନମ୍ବର ସହିତ ମନ୍ତ୍ରଣାଳୟ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଯୋଗାଇଛି । ଏଭଳି 1,75,000 ସ୍ୱାସ୍ଥ୍ୟସେବା ପେସାଦାରଙ୍କ ତାଲିକା ଦିଆଯାଇଛି ଏବଂ ସେମାନେ ସମସ୍ତେ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଅଧୀନ ବିଭିନ୍ନ କାର୍ଯ୍ୟକ୍ରମରେ ତାଲିମ ପାଇଛନ୍ତି । ଜରୁରୀକାଳୀନ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ କାର୍ଯ୍ୟ ଏମାନେ ତୁଲାଇବାକୁ ତାଲିମ ନେଇ ଏମାନେ ଦକ୍ଷତା ଅର୍ଜନ କରିଛନ୍ତି । ରାଜ୍ୟ ସରକାରମାନେ ନିଜର ଆବଶ୍ୟକତା ଅନୁସାରେ ଏମାନଙ୍କର ସହାୟତା ନେଉଛନ୍ତି ।
ସେହିଭଳି ମନ୍ତ୍ରଣାଳୟ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମିତ ଓ ସନ୍ଦିଗ୍ଧଙ୍କ ନିମନ୍ତେ ଆଇସୋଲେସନ ୱାର୍ଡ ଏବଂ କ୍ୱାରେଣ୍ଟାଇନ ୱାର୍ଡ ତିଆରି କରିବାକୁ 33ଟି ପ୍ରତିଷ୍ଠାନକୁ ସହାୟତା ଯୋଗାଇ ଦିଆଯାଇଛି । ଜାତୀୟ ଦକ୍ଷତା ବିକାଶ ତାଲିମ ପ୍ରତିଷ୍ଠାନ ଭଳି ଏହିସବୁ ଅନୁଷ୍ଠାନର ଦକ୍ଷତା ବୃଦ୍ଧିରେ ସହାୟତା କରାଯାଇଛି । ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଆଇଟିଆଇଗୁଡିକୁ ଆବଶ୍ୟକ ସ୍ଥଳେ ଆଇସୋଲେସନ ସେଣ୍ଟର ରୂପେ ବ୍ୟବହାର କରିବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦିଆଯାଇଛି । ସମଗ୍ର ଦେଶରେ ମୋଟ ଏଭଳି 15,697 ଆଇଟିଆଇ ରହିଛି । ସେଥି ମଧ୍ୟରୁ 3055 ସରକାରୀ ଓ 12,642 ବେସରକାରୀ ।
ଇତି ମଧ୍ୟରେ ହରିୟାଣାର ପାନିପତ ଓ କେରଳର ତିରୁଅନନ୍ତପୁରମ, ମହିଳା ଜାତୀୟ ଏନଏସଟିଆଇକୁ ଆଇସୋଲେସନ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଛି । ଏହାଛଡା କାଲିକଟ, ଲୁଧିଆନା, ଡେରାଡୁନ, ଚେନ୍ନାଇ ସ୍ଥିତ ଏନଏସଟିଆଇ ଏବଂ ଓଡିଶାର 38ଟି ପଲିଟେକନିକ ଓ କଲେଜକୁ ଆଇସୋଲେସନ ୱାର୍ଡ ଭାବେ ସଂରକ୍ଷିତ କରି ରଖାଯାଇଛି । ଜିଲ୍ଲା ପ୍ରଶାସନ ଆବଶ୍ୟକ ସ୍ଥଳେ ସବୁ ଏନଏସଟିଆଇ ଓ ଆଇଟିଆଇକୁ ବ୍ୟବହାର କରିପାରିବେ ବୋଲି ଦକ୍ଷତା ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।
ସେହିଭଳି ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶମତେ ଜନ ଶିକ୍ଷଣ ସଂସ୍ଥାଗୁଡିକ ଆବଶ୍ୟକ ମାସ୍କ ପ୍ରସ୍ତୁତ କରି ଯୋଗାଇ ଦେଉଛନ୍ତି । ଏଥିପାଇଁ ସବୁ ଜନ ଶିକ୍ଷଣ ସଂସ୍ଥାକୁ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି । ଏ ଯାବତ ଦେଶର 99ଟି ଜିଲ୍ଲାରେ ଥିବା 101 ଜନ ଶିକ୍ଷଣ ସଂସ୍ଥାନ ପ୍ରାୟ 5 ଲକ୍ଷ ମାସ୍କ ତିଆରି କରି ସଂପୃକ୍ତ 17ଟି ରାଜ୍ୟର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଯୋଗାଇ ଦେଇଛନ୍ତି । ଅଧିକ ମାସ୍କର ଆବଶ୍ୟକତା ପଡିଲେ 18 ଏନଏସଟିଆଇର ସହାୟତା ନିଆଯାଇପାରିବ ବୋଲି ମନ୍ତ୍ରଣାଳୟ ତାଲିମ ବିଭାଗ ମହାନିର୍ଦ୍ଦେଶକ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଛନ୍ତି । ଦେଶର 18ଟି ଆଇଟିଆଇ ଓ ଦୁଇଟି ଏନଏସଟିଆଇ ଏବେ ମାସ୍କ ଉତ୍ପାଦନ କରୁଛନ୍ତି ।
ମନ୍ତ୍ରଣାଳୟ ପକ୍ଷରୁ କର୍ମଚାରୀଙ୍କର ଗୋଟିଏ ଦିନର ବେତନ ପିଏମ କେୟାର୍ସ ଫଣ୍ଡକୁ ପ୍ରଦାନ କରାଯାଇଛି । ଏହାଛଡା ସିଏସଆର ପାଣ୍ଠିରୁ କରୋନା ସହାୟତା ପାଇଁ ଅର୍ଥ ଯୋଗାଇ ଦେବାକୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଏ ବାବଦରେ ମୋଟ 3.23 କୋଟି ଟଙ୍କା ପିଏମ କେୟାର୍ସ ପାଣ୍ଠିକୁ ଦାନ କରାଯାଇଛି । ବିଭିନ୍ନ ଆଇଟିଆଇ ଓ ଏନଏସଟିଆଇରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ଖର୍ଚ୍ଚ ବାବଦରେ ଅର୍ଥ ଭରଣା କରିବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ନେବା ସହ ଅନଲାଇନ ବ୍ୟବସ୍ଥାରେ ତାଲିମ ଓ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରାଯାଇଛି ।