ଯାଜପୁର– ଆସନ୍ତା କାଲି ଅର୍ଥାତ୍ ୧୬ ତାରିଖ ଠାରୁ ଯାଜପୁର ଜିଲ୍ଲାର ସମସ୍ତ ପାଠ୍ୟ ପୁସ୍ତକ ଦୋକାନ, ଗ୍ୟାରେଜ୍, ବିଦ୍ୟୁତ ଉପକରଣ ଦୋକାନ ଦୈନିକ ପରିବେର୍ତ ସାପ୍ତାହିକ ଭାବେ କେବଳ ରବିବାର ସକାଳ ୬ଟା ଠାରୁ ପୂର୍ବାହ୍ନ ୧୦ ଟା ପର୍ଯ୍ୟନ୍ତ ୪ ଘଂଟା ପାଇଁ ଖୋଲା ରହିବ ବୋଲି ନୂତନ ନିର୍ଦ୍ଦେଶନାମା ଜାରୀ କରିଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ଏହା ଅତ୍ୟାବଶ୍ୟକ ସାମଗ୍ରୀ ହୋଇନଥିବାରୁ ଦୈନିକ ଖୋଲିବାର ଆବଶ୍ୟକତା ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ଏସବୁ ଦୋକାନ ପ୍ରତ୍ୟେକ ଦିନ ଖୋଲିବା ଫଳରେ ତା ବାହାନାରେ ଅନେକ ଅଯଥା ବୁଲି ଗହଳି କରୁଥିବାର ଜଣାପଡିଛି । ତେବେ ଦୋକାନୀ ମାନେ ନିଜେ ଓ ଗ୍ରାହକ ମାନଙ୍କ ସାମାଜିକ ଦୂରତା ଓ ମାସ୍କ ପରିଧାନ ପ୍ରତି ଉତରଦାୟୀ ହେବେ । ଏହାର ବ୍ୟତିକ୍ରମ ହେଲେ ଆଇନ୍ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସତର୍କ କରାଇ ଦେଇଛନ୍ତି ।
ପୂର୍ବରୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ପାଠ୍ୟଉପକରଣ, ସାଇକେଲ ମରାମତି ଦୋକାନ, ଗ୍ୟାରେଜ୍, ଦୁଗ୍ଧଜାତ ସାମଗ୍ରୀ, ବିଦ୍ୟୁତ ଉପକରଣ ଦୋକାନ ଖୋଲିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ତେବେ ପରବର୍ତି ସମୟରେ ଏହାକୁ ପରିବର୍ତନ କରାଯାଇଛି । ଏହି ନୂତନ ନିର୍ଦ୍ଦେଶ ନାମା ଅନୁଯାୟୀ, ସାଇକେଲ୍ ମରାମତି ଦୋକାନ ଓ କ୍ଷୀର ଦୋକାନ ସବୁଦିନ ଖୋଲିବ । ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଭଳି ଏସବୁ ଦୋକାନ ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ । ଫଳରେ ଲୋକେ ଏସବୁ ଅତ୍ୟାବଶ୍ୟକ ସେବା ସହଜରେ ଉପଲବ୍ଧ କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଲକ୍ ଡାଉନ୍ ସମୟରେ ସାଇକେଲ ମରାମତି ଦୋକାନ, ଗ୍ୟାରେଜ୍ ବା ଗାଡ଼ି ମରାମତି ଦୋକାନ, ଇଲେକ୍ଟ୍ରିକାଲସ ଦୋକାନ ସହ ଦୁଗ୍ଧଜାତ ସାମଗ୍ରୀ ଦୋକାନ ବନ୍ଦ ରହୁଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅପରପକ୍ଷେ ଦୁଗ୍ଧଜାତ ଦ୍ରବ୍ୟ ଯଥା ଛେନା, କ୍ଷୀର, ପନିର, ଇତ୍ୟାଦି ବିକ୍ରୟ କରିନପାରି ଗୋଚାଷୀ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଥିଲେ । ଜିଲ୍ଲାରେ ଶିଶୁ ଖାଦ୍ୟର ଅଭାବ ପରିଲକ୍ଷିତ ହୋଇଥିଲା । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଥିଲା । ସେହିପରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ପାଠପଢାକୁ ଦୃଷ୍ଟିରେ ରଖି ବହି ଖାତା ଇତ୍ୟାଦି ପାଠ୍ୟଉପକରଣ ଉପଲବ୍ଧ ହେଉଥିବା ଦୋକାନ ଗୁଡିକୁ ମଧ୍ୟ ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।