ଭୁବନେଶ୍ୱର – ଦଶମ ଶ୍ରେଣୀ ପାଠ୍ୟପୁସ୍ତକ ପରିବର୍ତନ ନିଷ୍ପତି ପ୍ରତ୍ୟାହାର ସହ ୯ମ ଓ ୧୦ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉ ବୋଲି ଏ.ଆଇ.ଡି.ଏସ.ଓର ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ ଓ ସମ୍ପାଦକ ସୁବାସ ନାୟକ ଏକ ପ୍ରେସ ବିବୃତି ମାଧ୍ୟମରେ ଦାବି କରିଛନ୍ତି ।
ସେମାନେ କହିଛନ୍ତି ଯେ । ଘାତକ କରୋନା ଭୂତାଣୁର କରାଳ କବଳରେ ବର୍ତମାନ ସାରା ବିଶ୍ୱ ମହା ସଙ୍କଟମୟ ପରିସ୍ଥତିରେ ଗତି କରୁଛି । ଏହାର ମୁକାବିଲା ପାଇଁ କରାଯାଇଥିବା ଲକଡାଉନ ଫଳରେ ଯେତେବେଳେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସେତେବେଳେ ରାଜ୍ୟ ସରକାରଙ୍କ ଅଧିନସ୍ଥ ବୋର୍ଡ କର୍ତ୍ତୃପକ୍ଷ ଅତ୍ୟନ୍ତ ନିର୍ଲଜ୍ୟ ଭାବରେ ଦଶମ ଶ୍ରେଣୀର ପାଠ୍ୟପୁସ୍ତକରେ ପରିବର୍ତନର ଘୋଷଣା କରିଛନ୍ତି । ସାରା ରାଜ୍ୟରେ ଲକଡାଉନ ଫଳରେ ବିଦ୍ୟାଳୟ ଗୁଡିକ ବନ୍ଦ ରହିବା ଫଳରେ ଛାତ୍ର ଛାତ୍ରୀମାନଙ୍କ ପାଠପଢାରେ ଅସୁବିଧା ସୃଷ୍ଟି ହୋଇଛି । ଏହିଭଳି ସମୟରେ ୯ମ ଓ ୧୦ମ ତଥା ଅନ୍ୟ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଉପର ଶ୍ରେଣୀର ପିଲାମାନଙ୍କ ପାଖରୁ ପୁରୁଣା ପୁସ୍ତକ ଯୋଗାଡକରି ପାଠ ପଢା ନିଜସ୍ୱ ଉଦ୍ୟମରେ ଆରମ୍ଭ କଲେଣି । ଆମ ରାଜ୍ୟର ଅଧିକାଂଶ ଦରିଦ୍ର ଛାତ୍ରଛାତ୍ରୀ ମାନେ ଏହି ଉପାୟ ଅବଲମ୍ବନ ପାଠ୍ୟପୁସ୍ତକ ଯୋଗାଡ କରି ଅଧ୍ୟୟନ କରନ୍ତି । ମାତ୍ର ବେପାରୀ ମନୋବୃତି ରଖି ବୋର୍ଡ କର୍ତୃପକ୍ଷ ୧୦ମ ଶ୍ରେଣୀର ପାଠ୍ୟପୁସ୍ତକରେ କରିଥିବା ପରିବର୍ତନ ଫଳରେ ସାଧାରଣ ଘରର ଅଧିକାଂଶ ଛାତ୍ରଛାତ୍ରୀମାନେ ନୂଆ ବହି କିଣିବାକୁ ଯାଇ ଆର୍ଥିକ ଶୋଷଣର ଶୀକାର ହେବେ । ଏହି ପରିସ୍ଥିତିତରେ ଏହି ନିଷ୍ପତି ସଂପୂର୍ଣ୍ଣ ଛାତ୍ର ଛାତ୍ରୀ ବିରୋଧି ଏବଂ ବୋଝ ଉପରେ ଳଳିତା ବିଡା ସଦୃଶ । ଏଣୁ ଏହି ଛାତ୍ରସ୍ୱାର୍ଥ ବିରୋଧି ନିଷ୍ପତି ତୁରନ୍ତ ପ୍ରତ୍ୟାହାର କରିବା, ନବମ ଓ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ବହି ଯୋଗାଇ ଦେବା ସହ ଶିକ୍ଷାନୁଷ୍ଠାନ ଗୁଡିକରେ ସମସ୍ତ ଫି ଛାଡ କରିବା ପାଇଁ ଏ.ଆଇ.ଡି.ଏସ୍.ଓ ପକ୍ଷରୁ ଦାବି କରାଯାଇଛି । ସୂଚନା ଯୋଗ୍ୟ ଯେ, ଦେଶରେ ନିତାନ୍ତ ଜରୁରୀ ପଦକ୍ଷେପ ଭାବେ ମଇ ୩ ପର୍ଯ୍ୟନ୍ତ ସମଗ୍ର ଦେଶବ୍ୟାପୀ ତାଲା ବନ୍ଦ ଘୋଷଣା କରାଯାଇଛିି । ଏହି ପଦକ୍ଷେପ ନିଶ୍ଚିତଭାବେ ଆବଶ୍ୟକ ଥିଲା । ମାତ୍ର ଅନ୍ୟ ଦିଗରେ ଏହି ପଦକ୍ଷେପ ଯୋଗୁଁ ରାଜ୍ୟର ସମସ୍ତ ଦିନ ମୂଲିଆ, ଚୁକ୍ତିଭିତିକ ଶ୍ରମିକ, ନିର୍ମାଣ ଶ୍ରମିକ, ପାଚିକା, ପରିଚାରିକା, ରିକ୍ସା ଚାଳକ, ଅଟୋ ଚାଳକ, ଉଠା ଦୋକାନୀ, ଠେଲା ଦୋକନୀ, ଛୋଟ ଦୋକାନୀ,ଚାଷୀ ପ୍ରମୁଖଙ୍କ ନିତିଦିନିଆ ରୋଜଗାର ବନ୍ଦ ହୋଇଯାଇଛି ଏବଂ ଅନ୍ୟପଟେ ଦରବୃଦ୍ଧି ପରିସ୍ଥିତି ସୃଷ୍ଟି ହୋଇଛି । ଯଦ୍ୱରା କି ଏହି ବର୍ଗର ଲୋକମାନଙ୍କ ପାଇଁ ଦିନକୁ ଦୁଇବେଳା ଖାଦ୍ୟ ସଂଗ୍ରହ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି । ପିଲାମାନଙ୍କ ପାଠପଢା ଏବଂ ବହିକିଣା ଖର୍ଚ୍ଚ ଯୋଗାଡ କରିବାକୁ ସେମାନେ ମଧ୍ୟ ଅସର୍ମଥ । ଯୁଦ୍ଧକାଳୀନ ଭିତିରେ ବିନା ମୂଲ୍ୟରେ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ନିତ୍ୟ ପ୍ରୟୋଜନୀୟ ଯୋଗାଇଦେବା, ଶିଶୁମାନଙ୍କ ପାଇଁ ଶିଶୁ ଖାଦ୍ୟ ଓ ଆବଶ୍ୟକ ଔଷଧ ଯୋଗାଇ ଦେବା, ବୟସ୍କଙ୍କ ଯତ୍ନନେବାପାଇଁ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବା, ଜିନିଷପତ୍ରର ଦରଦାମକୁ ସ୍ଥିର ରଖିବାକୁ ପଦକ୍ଷେପ ନେବା ସହ କରୋନା ସଂକ୍ରମଣକୁ ମୁକାବିଲାର ଏକ ଅବିଚ୍ଛେଦ୍ୟ ପଦକ୍ଷେପ ଭାବେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ବହି ଓ ପାଠ୍ୟ ଉପକରଣ ଯୋଗାଇଦବା ଏବଂ ଶିକ୍ଷାରେ ସମସ୍ତ ସ୍ତରର ଫି ଛାଡ କରିବା ପାଇଁ ଏ.ଆଇ.ଡି.ଏସ୍.ଓ ପକ୍ଷରୁ ଦାବି କରାଯାଇଛି । ତେଣୁ ଏଭଳି ସମୟରେ ପାଠ୍ୟପୁସ୍ତକ ପରିବର୍ତ୍ତନ ବନ୍ଦ କରିବା ସହ ରାଜ୍ୟ ସରକାର ସମସ୍ତ ୯ମ ଓ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ଏ.ଆଇ.ଡି.ଏସ.ଓର ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ ଓ ସମ୍ପାଦକ ସୁବାସ ନାୟକ ଏକ ପ୍ରେସ ବିବୃତି ମାଧ୍ୟମରେ ରାଜ୍ୟସରକାରଙ୍କୁ ଦାବି କରିଛନ୍ତି । ରାଜ୍ୟର ସମସ୍ତ ଶୁଭବୁଦ୍ଧି ସଂପର୍ଣ୍ଣ ଜନଗଣ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନିଜ ନିଜ ସ୍ତରରେ ସ୍ତରରେ ଏହି ଦାବି ସପକ୍ଷରେ ମତବ୍ୟକ୍ତ କରିବାକୁ ଅନୁରୋଧ କରିଛନ୍ତି ।