ବ୍ରହ୍ମପୁର: ଲକ୍ଡାଉନ୍ କଟକଣାକୁ ଉଲଂଘନ କରିବାରୁ ବ୍ରହ୍ମପୁରରେ ୭ଟି ମାର୍କେଟ୍ ରାଜା ସାହି, କେଉଟ ସାହି, ବାଚୁବାରୀ ସାହି, ଜେନା ସାହି, ପନ୍ଦରା ସାହି, ଶଙ୍କରପୁର ସାହି, ଦେଶୀବେହେରା ସାହିରେ ହୋଲ୍ସେଲ୍ ରାସନ୍ ଦୋକାନ ବ୍ୟତିତ ଅନ୍ୟ ସବୁ କାରବାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ବିଏମସ୍ । ୧୫ ତାରିଖ ୧୨ଟା ପରଠୁ ଉପରୋକ୍ତ ୭ଟି ମାର୍କେଟ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ । ବ୍ୟବସାୟୀ ମାନେ ଏହି ନିଷ୍ପତ୍ତିକୁ ବିରୋଧ କରି ମଙ୍ଗଳବାର ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ସାକ୍ଷାତ କରିଥିଲେ । କମିଶନର ବ୍ୟବସାୟୀଙ୍କ ସହ ଆଲୋଚନା କରିବା ପରେ ମଙ୍ଗଳବାର ଉପରୋକ୍ତ ୭ଟି ମାର୍କେଟ୍ରେ ରହିଥିବା ଆଳୁ ପିଆଜ ହୋଲ୍ସେଲ୍ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । କିନ୍ତୁ ଆଳୁ ପିଆଜ ଦୋକାନ ୭ଟି ସ୍କୁଲରେ ଖୋଲିବାକୁ ଜାଗା ଦିଆଯାଇଛି । ଆସିକା ରୋଡ଼ ବାଳକ ହାଇସ୍କୁଲ ଓ ବାଳିକା ହାଇସ୍କୁଲ, ଗ୍ରାମଦେବତୀ ସାହି ୟୁପି ସ୍କୁଲ, ସୁବୁଦ୍ଧିଦେବୀ ୟୁପି ସ୍କୁଲ, ଗିରିରୋଡ଼ ବାଳିକା ହାଇସ୍କୁଲ, ବିଜିପୁର ବିସିଏମ୍ଇ ସ୍କୁଲ ଓ ବିଜିପୁର ବିସିପି ସ୍କୁଲରେ ହୋଲ୍ସେଲ୍ ଆଳୁ ପିଆଜ ଦୋକାନ ଖୋଲିବାକୁ ବିଏମ୍ସି ନିର୍ଦ୍ଦେଶ ଦେଇଛି ।
ସହରରେ ଆମିଷ ବଜାରକୁ ନେଇ ପ୍ରଶାସନ ଚିନ୍ତିତ ରହିଥିଲା । ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା ପ୍ରସିଦ୍ଧ । ଦଣ୍ଡଯାତ୍ରା ହୋଇନଥିଲେ ମଧ୍ୟ ବିଦ୍ଧି ପାଳନ କରୁଥିଲେ ଜିଲ୍ଲାବାସୀ । ଯାହାଫଳରେ ଆମିଷ ଖାଉନଥିଲେ ଏବଂ ମାର୍କେଟ୍ରେ ମଧ୍ୟ ସେତେଟା ଚାହିଦା ନଥିଲା । ସୋମବାର ମେରୁ ସଂକ୍ରାନ୍ତି ଯିବା ପରେ ମଙ୍ଗଳବାର ଆମିଷ ବଜାରରେ ଦେଖିବାକୁ ମିଳିଛି ଭିଡ଼ । ବିଏମ୍ସି ଗେଟ୍ବଜାର ଓ କମାପଲ୍ଲୀ ଆମିଷ ବଜାର ବନ୍ଦ କରିଥିବା ବେଳେ ସେହି ବ୍ୟବସାୟୀ ମାନେ ବିଭିନ୍ନ ଜାଗାକୁ ଯାଇ ଦୋକାନ ଖୋଲୁଛନ୍ତି । ମଙ୍ଗଳବାର ସକାଳୁ ମାଛ, ମାଂସ ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା ମଧ୍ୟ ରକ୍ଷା କରୁନାହାନ୍ତି । ଅନ୍ୟପକ୍ଷରେ ବ୍ରହ୍ମପୁର ସହରରେ ବିଭିନ୍ନ ସାମଗ୍ରୀ ଘରେ ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି, ତେଣୁ ଲୋକ ଘରୁ ବାହାରନ୍ତୁ ନାହିଁ ବୋଲି ବିଏମ୍ସି କମିଶନର କହିଛନ୍ତି । ୧୭୫ଟି ବସ୍ତିରେ ବିଶୋଧକ ସିଞ୍ଚନ ସରିଥିବା ବେଳେ ବିଭିନ୍ନ ୱାର୍ଡରେ ସିଞ୍ଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି ।
Related Stories
May 10, 2025