ବ୍ରହ୍ମପୁର: କୋଲକାତାକୁ ଚାଲି ଚାଲି ଯାଉଥିବା ବେଳେ ୧୧ଜଣ ଯୁବକଙ୍କୁ ଉଦ୍ଧାର କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ସେମାନଙ୍କୁ ଉଦ୍ଧାର କରାଯିବା ପରେ ସଙ୍ଗରୋଧରେ ରଖାଯାଇଛି । ଏମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାଯାଇଛି । ଏହି ୧୧ଜଣ ଯୁବକ ଜଣେ ଠିକାଦାରଙ୍କ ଅଧିନରେ ରହି ଗୋପାଳପୁର ଅଞ୍ଚଳରେ କାଠ କାମ କରୁଥିଲେ । ଲକ୍ ଡାଉନ୍ ଘୋଷଣା ପରେ ଏମାନେ ସେଠାରେ ରହୁଥିଲେ । ହେଲେ ଠିକାଦାର ସେମାନଙ୍କର ଖାଇବା ପିଇବା ଯୋଗାଇବା ବନ୍ଦ କରି ଦେବାରୁ ସେମାନେ ବାଧ୍ୟ ହୋଇ ନିଜ ଘରକୁ ଫେରିବା ଉଦ୍ଦେଶ୍ୟରେ କୋଲକାତା ଅଭିମୁଖେ ଯାଉଥିଲେ । ସେମାନେ ଚମାଖଣ୍ଡି ଥାନା ଅନ୍ତର୍ଗତ କାଲିଆବାଲି ଛକ ନିକଟସ୍ଥ ୧୬ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ସେଠାରେ ପ୍ରଶାସନ ସେମାନଙ୍କୁ ଅଟକାଇଥିଲା । ସେମାନଙ୍କ ଠାରୁ ସବୁ କଥା ଶୁଣି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାଶ ଓ ତହସିଲଦାର ନୀଳମାଧବ ଭୋଇ ସେମାନଙ୍କୁ କାଳିଆବାଲି ଅସ୍ଥାୟୀ ସ୍ୱ୍ାସ୍ଥ୍ୟକେନ୍ଦ୍ରରେ ଆଣି ରଖିଥିଲେ । ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିବା ଜଣାଯାଇଛି । କରୋନାର ମୁକାବିଲା ଲାଗି କାମ କରୁଥିବା ଟିମ୍କୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରଶଂସା କରିଛନ୍ତି । ସେହିପରି ଛତ୍ରପୁର ବ୍ଲକ୍ ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟରେ ଗତ ୩୦ତାରିଖରୁ ରହୁଥିବା କେରଳ, ତାମିଲନାଡୁ ଓ ଝାଡଖଣ୍ଡ ଅଞ୍ଚଳର ୬୪ଜଣ ଶ୍ରମିକଙ୍କୁ ଅତିଥି ଭଳି ସମସ୍ତ ସୁବିଧା ପ୍ରଦାନ କରାଯାଉଥିବାରୁ ଶ୍ରମିକମାନେ ଖୁସି ରହିଥିବା ଜଣାପଡିଛି । ଏହି ଖବରପାଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ ଯୋଗେ ଛତ୍ରପୁର ବିଡିଓ, ତହସିଲଦାର, ଚମାଖଣ୍ଡି ଥାନାଧିକାରୀ, ସ୍ୱାସ୍ଥ୍ୟ କର୍ମଚାରୀ ଏବଂ କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଂଶସା ଜଣାଇଥିଲେ ।