ଇନ୍ଦୋର– ମଧ୍ୟ ପ୍ରଦେଶର ଆର୍ଥିକ ରାଜଧାନୀ ଇନ୍ଦୋରରେ ଅନେକ ପ୍ରୟାସ ପରେ ମଧ୍ୟ କରୋନା ଭାଇରସ୍ ସଂକ୍ରମଣ ଥମିବାର ନାଁ ନେଉ ନାହିଁ । ବରଂ ଯେତେ ଅଧିକ କରୋନା ପରୀକ୍ଷଣ ହେଉଛି ସେହି ଅନୁପାତରେ କୋଭିଡ୍-୧୯ ପଜିଟିଭ୍ ସଂଖ୍ୟା ବଢିବାରେ ଲାଗିଛି । ଫଳରେ ଇନ୍ଦୋର ସହର ମଧ୍ୟ ପ୍ରଦେଶରେ କରୋନାର କେନ୍ଦ୍ର ସ୍ଥଳରେ ପରିଣତ ହୋଇଛି । ସହରରେ ସୋମବାର ରାତି ସୁଦ୍ଧା ୩୬୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ମାତ୍ର ଆଜି ସକାଳେ ଯେଉଁ ରିପୋର୍ଟ ଆସିଛି ତାହା ସମସ୍ତଙ୍କୁ ହତ ଚକିତ କରିଛି । ଗତ ୧୨ ଘଂଟାରେ ୭୪ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୨ ଜଣ ଡାକ୍ତର ସହିତ ଜଣେ ସାମ୍ବାଦିକ ମଧ୍ୟ ସାମିଲ । ଏହା ସହିତ ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ଘଟିଛି ।
ସ୍ତ୍ରୀ ରୋଗ ବିଭାଗରେ ପଦସ୍ଥ ଦୁଇ ଜଣ ନର୍ସଙ୍କଠାରେ କରୋନା ଚିହ୍ନଟ ହେବା ପରେ ହସ୍ପିଟାଲ ପରିସରରେ ଆତଙ୍କ ଖେଳି ଯାଇଛି । ସୂଚନା ଅନୁସାରେ ମଙ୍ଗଳବାର କରୋନାର ଯାଂଚ ପରେ ଇନ୍ଦୋରରେ ଦୁଇ ଜଣ ଡାକ୍ତରଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସେଥିରୁ ଜଣେ ମେଡିକାଲ କଲେଜରେ କାର୍ଯ୍ୟରତ ଥିବା ବେଳେ ଜଣେ ଚନ୍ଦନନଗରର ଡାକ୍ତର । ଏହା ସହିତ ସହରର ଜଣେ ସାମ୍ବାଦିକ ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି ।
ଆଜି ଆସିଥିବା ୯୧ ରିପୋର୍ଟ ମଧ୍ୟରୁ ୭୪ ରିପୋର୍ଟ ପଜିଟିଭ୍ ଆସିଥିବା ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଡ. ପ୍ରବୀଣ ଜଡିଆ କହିଛନ୍ତି । ଏହାକୁ ମିଶାଇଲେ ଇନ୍ଦୋରରେ କରୋନା ସଂକ୍ରମିତ ସଂଖ୍ୟା ୪୩୬କୁ ବୃଦ୍ଧି ଘଟିବ । ଅନ୍ୟପଟେ ପୁଣେ ପଠାଯାଇଥିବା ନମୂନାର ରିପୋର୍ଟ ଆସିବା ବାକି ରହିଛି । ଯଦି ସେଥିରୁ ରିପୋର୍ଟ ପଜିଟିଭ୍ ଆସେ ତେବେ ମଧ୍ୟ ପ୍ରଦେଶରେ ଏକାକୀ ଇନ୍ଦୋରରେ ସଂକ୍ରମିତଙ୍କ ସଂଖ୍ୟା ୫୦୦ ଅଧିକ ହୋଇଯିବ ।