ଗଞ୍ଜାମ– କର୍କଟ ପୀଡିତା ତଥା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର ଖଣ୍ଡରା ଗ୍ରାମରେ ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟରତ ରମା ସାହୁ ନିଜର ଉଲ୍ଲେଖନୀୟ କାର୍ଯ୍ୟ, କରୋନାର ପ୍ରତିରୋଧ ପାଇଁ ଦିନ ରାତି କାମ କରିବା ଓ ଜନସଚେତନାରେ ଅଗ୍ରଣୀ ଭୂମିକା ତୁଲାଇ ଥିବାରୁ ତାଙ୍କୁ ରାଜ୍ୟ ସ୍ତରରେ ପୁରସ୍କୃତ କରାଯିବ ବୋଲି ଘୋଷଣା କରାଯାଇଛି । ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପୁରସ୍କୃତ କରିବେ । ଗତକାଲି କରୋନା ପ୍ରବକ୍ତା ସୁବ୍ରତ ବାଗଚି ଏହି ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଅଙ୍ଗନବାଡ଼ି କର୍ମୀ ରମାଙ୍କର ଏହି କାର୍ଯ୍ୟଦକ୍ଷତା ପାଇଁ ସେ ହିଞ୍ଜିଳିକାଟୁ ଅଂଚଳରେ ବେଶ୍ ପ୍ରଶଂସିତ ହୋଇପାରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ଘୋଷଣା ପରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।