
ନୂଆଦିଲ୍ଲୀ– କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ମଙ୍ଗଳବାର ଆହ୍ୱାନ କରି କହିଛନ୍ତି ଆମେ ସମସ୍ତେ ଏକଜୁଟ ପ୍ରୟାସ କଲେ କରୋନାକୁ ହରାଇ ପାରିବା । ସେ ଆଶା ପ୍ରକାଶ କରିଛନ୍ତି ଯେ, ଏହି ସଙ୍କଟ ସମୟରେ ସମସ୍ତ ଦେଶବାସୀ ନିଜ ନିଜ ଘରେ ସୁରକ୍ଷିତ ଥିବେ ଏବଂ ଲକଡାଉନକୁ ସଂପୂର୍ଣ୍ଣ ଭାବେ ପାଳନ କରୁଥିବେ । କଂଗ୍ରେସ ସଭାପତି କରୋନା ପ୍ରକୋପ ସମୟରେ ଲୋକଙ୍କୁ ଶାନ୍ତି, ଧୈର୍ଯ୍ୟ ଓ ସଂଯମ ବଜାୟ ରଖି ଥିବାରୁ ଧନ୍ୟବାଦ ଦେଇଛନ୍ତି ।
ସୋନିଆ ଗାନ୍ଧୀ କହିଛନ୍ତି କରୋନା ମହାମାରୀ ସହ ମୁକାବିଲାରେ ଆପଣ ସମସ୍ତେ ଛିଡା ହେବା ଏଥିରୁ ଆଉ ବଡ ଦେଶଭକ୍ତି କଣ ହୋଇପାରେ । ଆମେ ଏହି ମୁସ୍କିଲ ସମୟରେ ଆପଣଙ୍କ ପରିଜନ, ପତି-ପତ୍ନୀ-ପିଲା, ମାତା-ପିତାଙ୍କ ତ୍ୟାଗ ଓ ବଳିଦାନକୁ କେବେ ଭୁଲି ପାରିବା ନାହିଁ । ବିପଦ ଥିଲେ ମଧ୍ୟ ନିଜ ଲୋକଙ୍କ ସହଯୋଗ ଓ ସମର୍ଥନରେ ହିଁ ଆମେ ଏହି ଲଢେଇ କରି ପାରୁଛେ । ତେଣୁ ଏମିତି ବୀରତା ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦେବା ପାଇଁ ମୋ ପାଖରେ ଶବ୍ଦ ନାହିଁ ।
ସେ କହିଛନ୍ତି ଆମର ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ ଓ ସମାଜ ସେବୀ ସଂଗଠନ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଅଭାବ ପରେ ମଧ୍ୟ ଚିକିତ୍ସା ଜାରି ରଖିଛନ୍ତି । ପୋଲିସ୍ ଓ ଯବାନ ପ୍ରହରା ଦେଇ ଲକଡାଉନର ନିୟମ ପାଳନ କରୁଛନ୍ତି । ସଫେଇ କର୍ମଚାରୀ ଏହି ମୁସ୍କିଲ ସମୟରେ ସମ୍ବଳର ଅଭାବ ପରେ ମଧ୍ୟ ସଂକ୍ରମଣକୁ ବ୍ୟାପିବାରେ ରୋକିବା ପାଇଁ କ୍ରମାଗତ ସ୍ୱଚ୍ଛତା ଜାରି ରଖିଛନ୍ତି । ସରକାରୀ ଅଫିସର ମଧ୍ୟ ୨୪ ଘଂଟା ଭାଇରସକୁ ନିୟନ୍ତ୍ରଣ କରିବା ଓ ଲୋକଙ୍କ ପର୍ଯ୍ୟନ୍ତ ସୁବିଧା ପହଞ୍ଚାଇବା ପାଇଁ କଠୋର ପରିଶ୍ରମ କରୁଛନ୍ତି । ମାତ୍ର ଆପଣ-ଆମର ସହଯୋଗ ବିନା ଏହି ଲଢେଇ ଦୁର୍ବଳ ହୋଇ ଯାଇପାରେ ଏବଂ ଆମେ ଏମିତି ହେବାକୁ କଦାପି ଦେବା ନାହିଁ ।
ଡାକ୍ତରଙ୍କ ସହିତ କିଛି ସ୍ଥାନରେ ଦୁର୍ବ୍ୟବହାରରେ ଦୁଃଖ ପ୍ରକାଶ କରି କଂଗ୍ରେସ ସଭାପତି କହିଛନ୍ତି ଆମର ସଭ୍ୟତା ଓ ସଂସ୍କୃତି ଏମିତି ନୁହଁ । ଆମେ ସମସ୍ତଙ୍କୁ ସହଯୋଗ ଓ ସମର୍ଥନ କରିବା ଉଚିତ୍ । ଏହି ସଂକଟ ବେଳେ ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ବ୍ୟକ୍ତିଗତ ସ୍ତରରେ ପ୍ରୟାସ ଜାରି ରଖିଛନ୍ତି । କେହି କେହି ଲୋକଙ୍କୁ ଖାଦ୍ୟ ଦେଉଛନ୍ତି, ଆଉ କିଏ ମାସ୍କ ବଂଟନ କରୁଛନ୍ତି, କିଏ ସାନିଟାଇଜର ଦେଉଛନ୍ତି ତ ଆଉ କିଏ ଗରିବଙ୍କ ପର୍ଯ୍ୟନ୍ତ ରାସନ ପହଁଚାଉଛନ୍ତି । ଅର୍ଥାତ ପ୍ରତ୍ୟେକ ହିନ୍ଦୁସ୍ତାନୀ କରୋନାର ଏହି ଲଢେଇକୁ ଜିତିବା ଲାଗି ଏକଜୁଟ୍ ହୋଇ ନିଜର ଦାୟିତ୍ୱ ନିଭାଉଛନ୍ତି । ଆପଣ ମସସ୍ତ ଧନ୍ୟବାଦର ପାତ୍ର ବୋଲି ସୋନିଆ କହିଛନ୍ତି ।