ଯାଜପୁର– ଯାଜପୁରରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ଅଂଚଳକୁ କଂଟେନମେଂଟ ଅଂଚଳ ଭାବେ ଘୋଷଣା କରିଛି । ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଆଜି ପୂର୍ବାହ୍ନରେ ଏନେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଏହି ପଜିଟିଭ୍ ବ୍ୟକ୍ତି ଜଣକ ଯାଜପୁର ବ୍ଲକ ଜାଫରପୁର ପଚାଂୟତ ଅନ୍ତର୍ଗତ ସାନତ୍ରିଲୋଚନପୁର ଗ୍ରାମର ବାସିନ୍ଦା । ସେ କଲିକତାରୁ ମାର୍ଚ୍ଚ ୨୮ ତାରିଖ ରାତିରେ ବାହାରିଥିବା ବେଳେ ୨୯ ତାରିଖ ଭୋରରୁ ଏକ ଟାଟା ମ୍ୟାଜିକ୍ ଗାଡ଼ି ଯୋଗେ ପାଣିକୋଇଲିରେ ଆସି ପହଂଚିଥିଲେ । ସେଠାରୁ ଏକ ମାଛ ବୋଝେଇ ଗାଡିରେ ଟାଉନ୍ କୁ ଆସି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ମୁଖ୍ୟ ଚିକିତ୍ସାଳୟରେ ସକାଳ ସାଢ଼େ ୭ଟା ସମୟରେ ଧାଡ଼ିରେ ରହି ନାମ ପଞ୍ଜିକୃତ କରାଇଥିଲେ । ପରେ ନିଜ ଗ୍ରାମକୁ ଯାଇ ସେବେଠାରୁ ହୋମ୍ କ୍ୱାରେଂଟାଇନରେ ରହିଥିଲେ । ଥଣ୍ଡା, କାଶ ଲାଗି ରହୁଥିବା କାରଣରୁ ଅପ୍ରେଲ ୧୦ ତାରିଖରେ ତାଙ୍କର ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିଲା । ଯାହାର ରିପୋର୍ଟ ୧୩ ତାରିଖ ରାତିରେ ପଜିଟିଭ୍ ଆସିଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ହୋମକ୍ୱାରେଂଟାଇନରେ ରଖାଯାଇଥିବା ବେଳେ ପଜିଟିଭ୍ ବ୍ୟକ୍ତିଙ୍କୁ କଟକ ସ୍ଥିତ ଅଶ୍ୱିନୀ ହସପିଟାଲକୁ ପ୍ରେରଣ କରାଯାଇଛି ।
ସେହିପରି କରୋନା ପଜିଟିଭ୍ ଚିହ୍ନଟ ବ୍ୟକ୍ତିଙ୍କ ଗ୍ରାମ ସାନ ତ୍ରିଲୋଚନପୁର ସହିତ ସଇପୁର-୩କୁ ୧୪ ତାରିଖ ମଧ୍ୟାହ୍ନ ୧୨ଟା ଅର୍ଥାତ୍ ଆଜି ଠାରୁ ଆସନ୍ତା ୨୧ ତାରିଖ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଂଟେନମେଂଟ ଅଂଚଳ ଭାବେ ଘୋଷଣା କରାଯାଇଛି । ଏହି ଅଂଚଳକୁ କଂଟେନମେଂଟ ଘୋଷଣା ଓ ସମ୍ପୃକ୍ତ ରୋଗୀଙ୍କୁ ହସ୍ପିଟାଲ ପଠାଯିବା ପରେ ତାଙ୍କ ଘର ଓ ସମଗ୍ର ଅଂଚଳକୁ ବିଶୋଧନ କରାଯାଇଛି । ସମ୍ପୃକ୍ତ ଅଂଚଳ ମଧ୍ୟକୁ ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରୀ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ଯାଜପୁର ବିଡ଼ିଓ ଓ ସ୍ୱାସ୍ଥ୍ୟସେବା ପାଇଁ ମାର୍କଣ୍ଡପୁର ସ୍ୱାସ୍ଥ୍ୟ ଅଧିକାରୀ ଡା. ଆଲୋକ ନାଥ ସାମଲଙ୍କୁ ଦାୟୀତ୍ୱ ଦିଆଯାଇଥିବା ବେଳେ ଯାଜପୁର ତହସିଲଦାର ସମ୍ପୃକ୍ତ ଅଂଚଳକୁ ବିଶୋଧନ କରାଇବା ଓ ପୋଲିସ ସହ ମିଶି ଆଇନ ଶୃଙ୍ଖଳା ରକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ବ୍ୟତୀତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନେ ତୁରନ୍ତ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବା ସହିତ କ୍ୱାରେଂଟାଇନରେ ରହିବାକୁ ଜିଲ୍ଲାପାଳ ଶ୍ରୀ ଦାସ ଅନୁରୋଧ କରିଛନ୍ତି । ଅପରପକ୍ଷେ ଆମ ସମସ୍ତଙ୍କର ସାମୁହିକ ଦାୟୀତ୍ୱ ସାମାଜିକ ଦୂରତ୍ୱକୁ ବଜାୟ ରଖିବା ଓ ନିଜ ଘରେ ରହି ନିଜକୁ ତଥା ନିଜ ପରିବାରକୁ ସୁରକ୍ଷିତ ରଖିବା ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।