ବ୍ରହ୍ମପୁର: କରୋନା ଭୁତାଣୁ ସଂକ୍ରମଣକୁ ରୋକ୍ ଲଗାଇବା ପାଇଁ ଗଞ୍ଜାମ ଜିଲ୍ଲାରେ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଦୈନିକ ୧୯ଘଣ୍ଟା ଆଶିଂକ ସଡ୍ ଡାଉନ୍ ଜାରି ରହିଥିବା ବେଳେ ଗ୍ରାମାଞ୍ଚଳରେ ଏହାର କାର୍ଯ୍ୟକାରୀ କିପରି ହେଉଛି ତାହାର ସ୍ଥିତି ପରଖିବା ପାଇଁ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ ଗଞ୍ଜାମ ପୋଲିସ ଜିଲ୍ଲାର ସୋରଡା ଥାନା ଅଞ୍ଚଳ ଗସ୍ତ କରିଥିଲେ । ସୋରଡା ଥାନା ଇଲାକାର ବିଭିନ୍ନ ଗ୍ରାମାଞ୍ଚଳ ବୁଲିବା ସହ ସୋରଡା ଥାନାଧିକାରୀ ରମେଶ ପ୍ରଧାନଙ୍କୁ ଥାନା ଇଲାକାର ସଡ୍ ଡାଉନ୍ ସମ୍ପର୍କିତ ସବିଶେଷ ତଥ୍ୟ ପଚାରି ବୁଝିବା ସହ ଥାନାରେ ପହଞ୍ôଚ ସମୀକ୍ଷା କରିଥିବା ଦେଖିବାକୁ ମିଳିଥିଲା । ଏସ୍ପିଙ୍କ ଗସ୍ତ ସମୟରେ ଆସିକା ଏସ୍ଡିପିଓ ସୂର୍ଯ୍ୟମଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଏମ୍କେସିଜିରେ ଆଉ ଜଣେ ସନ୍ଦିଗ୍ଧ ଭର୍ତ୍ତି
ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଆଇସୋଲେସନ୍ ୱାର୍ଡରେ ଆଉଜଣେ ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ସନ୍ଦିଗ୍ଧଙ୍କ ଘର ଗୋସାଇଁନୂଆଗାଁ ଅଞ୍ଚଳରେ ହୋଇଥିବା ବେଳେ ସେ ଭୁବନେଶ୍ୱରରୁ ଫେରିଥିଲେ । ବର୍ତ୍ତମାନ ଜ୍ୱର ଓ ଥଣ୍ଡାରେ ଆକ୍ରାନ୍ତ ଥିବାରୁ ତାଙ୍କୁ ଆଇସୋଲେସନ୍ରେ ଭର୍ତ୍ତି କରି ସ୍ୱାବ୍ ସଂଗ୍ରହ କରାଯାଇଛି । ଏମ୍କେସିଜି ମାଇକ୍ରୋବାୟୋଲୋଜି ବିଭାଗରେ ତାଙ୍କର ସ୍ୱାବ୍ ପରୀକ୍ଷା କରାଯାଉଛି ଏବଂ ବିଳମ୍ବିତ ସନ୍ଧ୍ୟାରେ ରିପୋର୍ଟ ଜଣାପଡିବ ବୋଲି ଅଧୀକ୍ଷକ ଡା. ମିଶ୍ର କହିଛନ୍ତି । ସପ୍ତାହେ ହେଲା ଏମ୍କେସିଜିରେ ୭ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ସ୍ୱାବ୍ ଭୁବନେଶ୍ୱର ପଠାଯାଇଥିବା ବେଳେ ଅଦ୍ୟାବଧି ରିପୋର୍ଟ ଆସିପାରି ନାହିଁ । ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବାରୁ ସନ୍ଦିଗ୍ଧ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ୭ଦିନ ହେଲା ଆଇସୋଲେସନ୍ରେ ଭର୍ତ୍ତି ହୋଇଥିବା ସନ୍ଦିଗ୍ଧଙ୍କ ସ୍ୱାବ୍ ପରୀକ୍ଷା ରିପୋର୍ଟ ଆସୁନଥିବା ବେଳେ ଦୁଇଦିନ ହେଲା ଯେଉଁ ମାନେ ଏମ୍କେସିଜିରେ ଭର୍ତ୍ତି ହେଉଛନ୍ତି ସେମାନଙ୍କ ରିପୋର୍ଟ ସଙ୍ଗେ ସଙ୍ଗେ କରାଯାଉଛି ।