-
ସଫଳ ୯ ଜଣଙ୍କୁ ଦିଆଯିବ ମାନପତ୍ର
ବାଲେଶ୍ବର, ୧୩/୪ : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ)
କୋରନାର ବିଭୀଷିକାରେ ସାରା ବିଶ୍ବ ଏବେ ଲକ୍ ଡାଉନ୍ ସ୍ଥିତିରେ ଅଛି । ଏହି ଭୟାବହ ମହାମାରୀରୁ ମଣିଷକୁ ବଞ୍ଚି ରହିବାକୁ ହେଲେ ନିଜ ନିଜ ଘରେ ରହି ସାମାଜିକ ଦୂରତା ପାଳନ କରିବାକୁ କୁହାଯାଇଛି। ଗତ ୨୪ରୁ ଦେଶକୁ ଲକ୍ ଡାଉନ୍ କରାଯିବା ପରେ ବାଲେଶ୍ଵର ରେମୁଣାର ‘ପଏଣ୍ଟ ଆର୍ଟ ଗ୍ରୁପ୍’ ତରଫରୁ ଚିତ୍ରକର ଦେବାଶିଷ ପତି ଅନ୍ ଲାଇନ୍ ପେଣ୍ଟିଂ ଓ ପୋଷ୍ଟର୍ ପ୍ରତିଯୋଗିତାର ଘୋଷଣା କଲେ ୨୭ ମାର୍ଚ୍ଚରେ । ଅପ୍ରେଲ୍ ୯ ତାରିଖ ଥିଲା ଏଥିପାଇଁ ଏଣ୍ଟ୍ରି ଦାଖଲ କରିବାର ଶେଷ ତାରିଖ। ତିନୋଟି ବିଭାଗରେ ଦେଶ ଓ ଦେଶ ବାହାରୁ ଶହେରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଓ କଳାକାର ଭାଗ ନେଇଥିଲେ। ଦାଖଲ ହୋଇଥିବା ଚିତ୍ର ବା ପେଣ୍ଟିଂରେ ମହାମାରୀ କରୋନକୁ କିପରି ପ୍ରତିହତ କରାଯାଇପାରିବ, ତାର ବିଶେଷ ବାର୍ତ୍ତା ଶିଳ୍ପୀମାନେ ଫୁଟାଇଥଲେ। ସମସ୍ତ ପ୍ରତିଯୋଗୀଙ୍କ କଳାକୃତି ଗୁଡିକ ବେଶ୍ ଅର୍ଥଦ୍ୟୋତକ ଓ ଆକର୍ଷଣୀୟ ଥିଲା ବୋଲି କହିଛନ୍ତି ଆୟୋଜକ।
ଏହି ପ୍ରତିଯୋଗିତା ତିନୋଟି ଗ୍ରୁପ୍ ରେ କରାଯାଇଥିଲା। ୬ ରୁ ୧୧ ବର୍ଷ ‘ଏ’ ଗ୍ରୁପ୍ ରଖା ଯାଇଥିଲା ବେଳେ ୧୨ ରୁ ୧୫ ବର୍ଷ ‘ବି’ ଗ୍ରୁପ୍ ଏବଂ ୧୬ ବର୍ଷରୁ ଅଧିକ ବୟସର ପ୍ରତିଯୋଗୀ ‘ସି’ ଗ୍ରୁପ୍ କରାଯାଇଥିଲା। ଅପ୍ରେଲ ୧୨ ତାରିଖ ଦିନ ବିଚାରକ ମଣ୍ଡଳୀ ଦ୍ବାରା ଏହାର ଫଳାଫଳ ଘୋଷଣା କରାଯାଇଛି । ଫଳାଫଳ ଅନୁସାରେ ‘ଏ’ ଗ୍ରୁପ୍ ରେ ପ୍ରଥମ ହୋଇଛନ୍ତି ବାଲେଶ୍ଵରର ଅଶ୍ଳେଷା ସାମନ୍ତ, ଦ୍ଵିତୀୟ ସ୍ଥାନରେ ଯୋଧପୁରର ଅନ୍ବେଷା ଦାସ ଥିବାବେଳେ ତୃତୀୟ ସ୍ଥାନରେ ନୋଏଡାର ସନୀକା ଶର୍ମା ରହିଛନ୍ତି। ସେହିପରି ଗ୍ରୁପ୍ ‘ବି’ରେ ପ୍ରଥମ ହୋଇଛନ୍ତି ମୁମ୍ବାଇର ରିତେଶ ମହେନ୍ଦ୍ର ଗୁପ୍ତା, ଦ୍ଵିତୀୟ ସ୍ଥାନରେ ପୁରୀର ସ୍ମୃତି ରଞ୍ଜନ ଚିନାରୀ ରହିଥିବା ବେଳେ ବାଲେଶ୍ଵରର ସମୀକ୍ଷା ଦେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ସେହିପରି ଗ୍ରୁପ୍ ‘ସି’ରେ ପ୍ରଥମ ହୋଇଛନ୍ତି ବାଂଲାଦେଶର ଅସ୍ଲାଫୁଲ୍ ଇସଲାମ୍, ମଧ୍ୟପ୍ରଦେଶର ଡ. ଯତୀନ୍ଦ୍ର ମୋହାବେ ଦ୍ଵିତୀୟ ସ୍ଥାନରେ ଥିବା ବେଳେ ତୃତୀୟ ସ୍ଥାନରେ ଅଛନ୍ତି ବାଲେଶ୍ଵରର ଈପସିତା ଦେ। ସବୁ ବର୍ଗର ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ପାଇଥିବା ପ୍ରତିଯୋଗୀମାନେ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା କଥା ଜଣାଇଛନ୍ତି ଆୟୋଜକ ଶ୍ରୀ ପତି। ହି ପେଣ୍ଟିଂ ପ୍ରତିଯୋଗିତାର ବିଚାରକ ଥିଲେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ କେଶୁଦାସ, ମଥୁରାର ଚିତ୍ରଶିଳ୍ପୀ ପ୍ରତାପ ରାଉତ ଓ ବାଲେଶ୍ବରର ପୁର୍ଣ୍ଣେନ୍ଦୁ ପ୍ରକାଶ ପତି। ସମସ୍ତଙ୍କ ସଫଳ ପ୍ରତିଯୋଗୀଙ୍କୁ ସେମାନଙ୍କର ମାନପତ୍ର ଇ-ମେଲ୍ ମାଧ୍ୟମରେ ପଠାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପଏଣ୍ଟ୍ ଆର୍ଟ ଗ୍ରୁପ୍ ର ଉପଦେଷ୍ଟା କାମେଶ୍ବର ପତି ଓ ସହଯୋଗୀ ଶୁଭସ୍ମିତା ପତି, ବିନ୍ଦୁଶ୍ରୀ ପତି ସହଯୋଗ କରିଥିଲେ।