ଭୋପାଳ– ମଧ୍ୟ ପ୍ରଦେଶରେ ଧିରେ ଧିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ୬୦୦ ନିକଟତର ହେଲାଣି । ଏହି ମହାମାରୀରେ ଏ ପର୍ଯ୍ୟନ୍ତ ରାଜ୍ୟର ୪୦ ଜଣଙ୍କ ପ୍ରାଣହାନୀ ଘଟିଛି । ସୋମବାର ସକାଳ ସୁଦ୍ଧା ୫୬୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଇନ୍ଦୋର ଓ ଭୋପାଳ କୋଭିଡ୍-୧୯ ଭାଇରସର କେନ୍ଦ୍ର ପାଲଟିଛି । ଇନ୍ଦୋରରେ ଗତ ୨୪ ଘଂଟାରେ ୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଏଠାରେ ଅଦ୍ୟାବଧି ୩୧୦ ସଂକ୍ରମିତ ଏବଂ ୩୨ ଜଣଙ୍କ ମୃତ୍ୟୁ ଘଟିଲାଣି । ଅନ୍ୟପଟେ ଭୋପାଳରେ ଏ ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୧୪୩ ରହିଥିବା ବେଳେ ତିନି ଜଣ କରୋନାରେ ପ୍ରାଣ ହରାଇଛନ୍ତି ।
ଇନ୍ଦୋର ଏମଜିଏମ ମେଡିକାଲ କଲେଜ ଓ ସ୍ୱାସ୍ଥ୍ୟ ବିଭାଗ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ଗତ ୨୪ ଘଂଟାରେ କରୋନା ସଂକ୍ରମିତ ସଂଖ୍ୟାରେ ହ୍ରାସ ଘଟିଛି । ଯଦି ଏମିତି ସ୍ଥିତି ଆଗକୁ ଜାରି ରହେ ତେବେ କରୋନା ଉପରେ ସଂପୂର୍ଣ୍ଣ ଭାବେ କାବୁ କରାଯାଇ ପାରିବ । ରବିବାର ରାତି ସୁଦ୍ଧା ୧୫୯ଟି ନମୂନାର ଯାଂଚ କରାଯାଇଥିଲା ଏବଂ ଏଥିରୁ ୮ ପଜିଟିଭ୍ ଚିହ୍ନଟ ହୋଇଛି । ଏମଆରଟିବି ହସ୍ପିଟାଲରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ।
ଭୋପାଳରେ ଅଦ୍ୟାବଧି ୧୪୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ଭୋପାଳରେ ପ୍ରତି ଦିନ କରୋନା ସଂକ୍ରମଣର ଯେଉଁ ମାମଲା ସାମ୍ନାକୁ ଆସୁଛି, ସେଥିରେ ପୋଲିସକର୍ମୀ ମଧ୍ୟ କରୋନା ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି । ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଭାକର କହିଛନ୍ତି ଯେ, ଭୋପାଳରେ ଗତ ୨୪ ଘଂଟାରେ ଜଣେ ଆଇଏଏସ ଅଫିସର ସମେତ ୯ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏହା ସହିତ ଭୋପାଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ ପହଁଚିଛି ।
ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟା ସୁଦ୍ଧା ଯାଂଚ ପାଇଁ ପଠାଯାଇଥିବା ୧୨୦୦ ନମୂନାର ରିପୋର୍ଟ ଆସିବାର ସମ୍ଭାବନା ରହିଛି । ଏହି ସବୁ ନମୂନା ଇନ୍ଦୋରରୁ ପରୀକ୍ଷଣ ପାଇଁ ଦିଲ୍ଲୀ ପଠାଯାଇଥିଲା । ଏହା ପୂର୍ବରୁ ମଧ୍ୟ ରାଜ୍ୟରୁ ୫୦୦ ନମୂନା ପଠାଯାଇଥିଲା । ମୋଟ୍ ୧୭୦୦ ନମୂନାର ରିପୋର୍ଟ ଆଜି ଆସିବାର ଅଛି । ଏଥିରୁ ସ୍ପଷ୍ଟ ଜଣା ପଡିବ ଯେ, ରାଜ୍ୟରେ ଏ ପର୍ଯ୍ୟନ୍ତ କେତେ ସଂକ୍ରମିତ ରୋଗୀ ଅଛନ୍ତି । ଅନ୍ୟପଟେ ରାଜ୍ୟ ସରକାର କେନ୍ଦ୍ରର ମୋଦୀ ସରକାରଙ୍କ ସହାୟତାରେ ଦିଲ୍ଲୀରୁ ଔଷଧ ମଗାଇଛନ୍ତି । ଏଥିରେ ୧୦ ଲକ୍ଷ ୫୦ ହଜାର ହାଇଡ୍ରୋକ୍ସି କ୍ଲୋରୋକୁଇନ ଓ ୮୦ ହଜାର ଏଜିଥ୍ରୋମାଇସିନ ବଟୀକା ରହିଛି । ଭୋପାଳରେ ଅଦ୍ୟାବଧି ଚାରି ଆଇଏଏସ ସମେତ ସ୍ୱାସ୍ଥ୍ୟ ବିଭାଗର ୮୫, ଜମାତି ୨୦, ପୋଲିସକର୍ମୀ ଓ ପରିଜନ ୨୦ ଏବଂ ଅନ୍ୟ ୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ୍ ୮୨୫୦ ବ୍ୟକ୍ତିଙ୍କ କରୋନା ପରୀକ୍ଷଣ କରାଯାଇଛି । ସେମାନଙ୍କ ମଧ୍ୟରୁ ୬୮୬୭ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୫୬୪ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ବାକି ୨୯୩୧ଟି ରିପୋର୍ଟ ଆସିବା ବାକି ରିହଛି ।