ନୂଆଦିଲ୍ଲୀ– ଦକ୍ଷିଣ ପଶ୍ଚିମ ଜିଲ୍ଲାର ସଫଦରଜଙ୍ଗ ଏନକ୍ଲେଭ ଥାନାରେ ମୁତୟନ ଦିଲ୍ଲୀ ପୋଲିସ୍ର ଜଣେ ଏଏସଆଇ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏଏସଆଇ ଓଖଲା ଅଂଚଳର ବାସିନ୍ଦା ଅଟନ୍ତି । କୋଭିଡ୍-୧୯ ଚିହ୍ନଟ ହେବା ପରେ ଏଏସଆଇଙ୍କୁ ଦିଲଶାଦ ଗାର୍ଡନ ସ୍ଥିତ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତି କରାଯାଇଛି । ଏହା ସହିତ ୧୪ ଦିନରେ ଏଏସଆଇଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେନଟାଇନରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁସାରେ, ଏଏସଆଇ ଦକ୍ଷିଣ ପଶ୍ଚିମ ଜିଲ୍ଲାର ସଫଦରଜଙ୍ଗ ଏନକ୍ଲେଭ୍ ଥାନାରେ ମୁତୟନ ଥିଲେ । ଏହି ଥାନା ଅନ୍ତର୍ଗତ ଏମ୍ସ ଟ୍ରାମା ସେଂଟର ଓ ସଫଦରଜଙ୍ଗ ହସ୍ପିଟାଲ ଆସିଥାଏ । ଏଠାରେ କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିଛି । କୁହାଯାଉଛି ଯେ, ଏଠାରେ ତାଙ୍କର ଡ୍ୟୁଟି ପଡିଥିଲା । ଗତ କିଛି ଦିନ ହେବ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା କାରଣରୁ ଏଏସଆଇ ଓଖଲା ସ୍ଥିତ ନିଜ ଘରେ ଥିଲେ । ଏହା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ରିପୋର୍ଟରେ କରୋନା ପଜିଟିଭ୍ ଆସିବା ପରେ ତାଙ୍କୁ ଦିଲସାଦ ଗାର୍ଡନ ସ୍ଥିତ ହସ୍ପିଟାଲରେ ଭର୍ତି କରାଯାଇଛି ।
ଏହା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୨୩ ପୋଲିସ କର୍ମୀଙ୍କ ନମୂନା ମଧ୍ୟ ଯାଂଚ ପାଇଁ ପଠାଯାଇଛି । ଏହା ପୂର୍ବରୁ ଅନେକ ପୋଲିସ କର୍ମୀ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି । ଏହା ପୂର୍ବରୁ ଜଣେ ଟ୍ରାଫିକ ପୋଲିସ୍ କରୋନା ଆକ୍ରାନ୍ତ ହୋଇଥିଲେ । ଏହା ପରେ ଆଇଆଇଜିରେ ମୁତୟନ ହେଡ୍ କନଷ୍ଟେବଳ କରୋନା ସଂକ୍ରମିତ ହୋଇଥିଲେ । ଏହି କ୍ରମରେ ମୁଣ୍ଡକା ଥାନାର ଏସଏଚଓ ଓ ଅନ୍ୟ ଜଣେ ସାଥୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।