ଧର୍ମଶାଳା– ଯାଜପୁର ଜିଲା ଧର୍ମଶାଳା ଥାନା ଅଧିନସ୍ଥ ଦେଓଦା ପଂଚାୟତର ଦେଓଦା ଗ୍ରାମରେ ବେକରେ ଫାଶି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଗାଁ ଲୋକ କରୋନା ରୋଗୀର ଆଖ୍ୟା ଦେବାରୁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ଯୁବକ ଜଣକ ହେଲେ ଦେଓଦା ଗ୍ରାମର କହ୍ନେଇ ସାହୁଙ୍କ ପୁଅ ସୁରେଶ (୪୦) ବୋଲି ଜଣାପଡିଛି । ଏନେଇ ପୁଲିସ ୧୬୧ା୨୦ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତନ୍ଦନ୍ତ କରୁଛି ।
ଅଭିଯୋଗ ମୁତାବକ, ସୁରେଶ ଚେନ୍ନାଇରେ ଏକ ହୋଟେଲରେ କାମ କରୁଥିଲେ । ସେଠାରୁ ମାର୍ଚ୍ଚ ମାସ ୧୮ ତାରିଖରେ ଘରକୁ ଆସିଥିଲେ । ସେହି ସମୟରେ କରୋନା ସଂକ୍ରମଣକୁ ନେଇ ଚର୍ଚ୍ଚା ହୋଇଥିଲା । ସୁରେଶ ଘରେ ପଂହଚିବା ପରେ ଗାଁକୁ ଯିବା ଆସିବା କରୁଥିଲା । କରୋନାରେ କିଛି କାମଧନ୍ଦା ନ ଥିବାରୁ ଗାଁର କିଛି ଯୁବକ ସୁରେଶଙ୍କ ଠାରୁ ଧାର ଆକାରରେ ଟଙ୍କା ନେଇଥିଲେ । ଦିନେ ଦୁଇ ଦିନ ପରେ ସୁରେଶ ଟଙ୍କା ମାଗିବାରୁ ଉକ୍ତ ଯୁବକମାନେ ସୁରେଶକୁ କରୋନା ହୋଇଥିବା ନେଇ ଅପପ୍ରଚାର କରିଥିଲେ । ଫଳରେ ଏହି ଘଟଣା ପ୍ରଘଟ ହେବା ପରେ ସୁରେଶକୁ ସମସ୍ତେ ଘୃଣା କରିବାକୁ ଲାଗିଲେ । ଫଳରେ ସୁରେଶ ବାଧ୍ୟ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ତାଙ୍କର ପରିତ୍ସା ସଂକ୍ରମଣ ଥିବା ଡାକ୍ତର କହିଥିଲେ । ଔଷଧ ଖାଇଲେ ଜ୍ୱର ଭଲ ହୋଇଯିବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ । ସେଠାରୁ ଘରୁ ଫେରିଥିଲେ ୧୪ ଦିନ ପାଇଁ ହୋମ କରେଟାଂଇନରେ ରହିଥିଲେ । ୧୪ ଦିନ ପରେ ଘରୁ ସେ ବାହାରିଥିଲେ କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଣିବା ପାଇଁ । ବାଟରେ ଗ୍ରାମବାସୀ କୋରାନା ରୋଗୀ ବୋଲି କହି ଖୁବ୍ ଟାହି ଟାପରା କରିଥିଲେ ତାଙ୍କୁ । ଫଳରେ ସେ ଘରୁ ପଳାଇ ଆସି ଘରେ ପରିବାର ଲୋକଙ୍କୁ ସମସ୍ତ କଥା କହିଥିଲେ । ସୁରେଶ ବାରମ୍ବାର ଟଙ୍କା ମାଗିବାକୁ ଉକ୍ତ ଯୁବକମାନେ ତାଙ୍କୁ ନାନା ଧମକଚମକ ଦେଇଥିଲେ । ଗତକାଲି ରାତିରେ ଘରେ ସବୁ କଥା ତାଙ୍କ ପତ୍ନୀ ବନ୍ଦନାକୁ କହିଥିଲା । ସମସ୍ତେ ଘରେ ଖାଇପିଇ ଶୋଇଥିଲେ । ସକାଳେ ସୁରେଶ ଘରେ ନଥିବା ଦେଖିବାକୁ ପାଇଥିଲେ ବନ୍ଦନା । ନିକଟସ୍ଥ ଏକ ନିଛାଟିଆ ଜାଗାରେ ଏଗ ଗଛରେ ସେ ଝୁଲୁଥିବା ଦେଖିବାକୁ ପାଇ ଗ୍ରାମବାସୀ ଓ ସ୍ଥାନୀୟ ସରପଂଚଙ୍କୁ ଅବଗତ କରାଇଥିଲେ । ଏହି ଘଟଣାକୁ ନେଇ ବନ୍ଦନା ଉକ୍ତ ଯୁବକମାନେ ତାଙ୍କୁ ବାରମ୍ବାର ନାନା ଅକଥନୀୟ କଥା କହିବା ଏବଂ ତାଙ୍କ ଟଙ୍କା ନ ଦେବାରୁ ସେମାନେ ମାରି ଟାଙ୍ଗି ଦେଇଥିବା ନେଇ ସ୍ତ୍ରୀ ବନ୍ଦନା ଅଭିଯୋଗ କରିଛନ୍ତି । ଧର୍ମଶାଳା ପୁଲିସ ଅଭିଯୋଗ ପାଇ ଘଟଣାସ୍ଥଳରେ ପଂହଚି ମୃତକଙ୍କ ଶବ ଜବତ କରିଛି । ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରିଛି । ସେ ଘର ଚାରି ପାଶ୍ୱର୍ରେ ତାଙ୍କର ମୃତ୍ୟୁର କାରଣ ଲେଖିଥିବା ପୁଲିସ ଜାଣିବାକୁ ପାଇଛି । ପୁଲିସ ଘଟଣାର ତଦନ୍ତ ଜୋରଦାର କରିଥିବା ବେଳେ ଶବକୁ ବ୍ୟବଚ୍ଛେଦ ନିମନ୍ତେ ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଘଟଣାରେ ୧୦ ଜଣ ସ୍ଥାନୀୟ ଯୁବକଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚୁରା ଚଳାଇଛି ।