ନ୍ୟୁୟର୍କ– କରୋନା ଜନିତ ମୃତ୍ୟୁ ମାମଲାରେ ଆମେରିକା ଶନିବାର ଇଟାଲୀକୁ ପଛରେ ପକାଇ ଦେଇଛି । କରୋନା ଭାଇରସ୍ ମହାମାରୀରେ ଆମେରିକାରେ ମୃତ୍ୟୁ ସଂଖ୍ୟା ୨୦ ହଜାର ଟପିଛି । ଏହି ପରି ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ ରହିଛି ।
ଆମେରିକାରେ ଗତ ଚାରି ଦିନରେ କ୍ରମାଗତ ୨୦୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି । ନ୍ୟୁୟର୍କ ସହର ଓ ଏହାର ଆଖାପାଖ ଅଂଚଳରେ କରୋନା ଭାଇରସରେ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ, ଚଳିତ ମାସ ଶେଷ ପର୍ଯ୍ୟନ୍ତ ଲାଗୁ ଲକଡାଉନକୁ ଯଦି ଉଠାଇ ନିଆଯାଏ ତେବେ ଆମେରିକାରେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ପର୍ଯ୍ୟନ୍ତ ପହଁଚିପାରେ ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ମୁଁ ଚାହୁଁଛି ଯେ ଶୀଘ୍ର ସ୍ଥିତି ସ୍ୱଭାବିକ ହେଉ । କରୋନା ଭାଇରସର ପ୍ରସାରକୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପରେ ଅର୍ଥବ୍ୟବସ୍ଥା ଓ ସାର୍ବଜନୀନ ସ୍ୱାସ୍ଥ୍ୟକୁ କ୍ଷତି ପହଁଚିଛି । ଶନିବାର ସନ୍ଧ୍ୟାରେ ଟ୍ରମ୍ପ କହିଛନ୍ତି ଯେ, ସେ ଖୁବ୍ ଶୀଘ୍ର ପେଶାଦାର ବ୍ୟକ୍ତି, ଡାକ୍ତର ଓ ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ କ୍ରମେ ଶୀଘ୍ର କିଛି ନିର୍ଣ୍ଣୟ ନେବେ । ଲୋକ କାମକୁ ଫେରିବାକୁ ଚାହୁଁଛନ୍ତି । ଆମକୁ ନିଜ ଦେଶର ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ପଡିବ ।