-
ମଧ୍ୟ ରାତ୍ରିରେ ଦିଆଗଲା ଫାଶୀ
-
୪ ଦିନ ପୂର୍ବେ ହୋଇଥିଲା ଗିରଫ
-
୨୫ ବର୍ଷ ପର୍ଯ୍ୟନ୍ତ ଛପି ରହିଥିଲା
ଢାକା/କୋଲକାତା– ବାଂଲାଦେଶର ସଂସ୍ଥାପକ ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ହତ୍ୟାକାରୀ ଅବଦୁଲ ମାଜିଦକୁ ଗିରଫ କରିବାର ୪ ଦିନ ଭିତରେ ଫାଶି ଦିଆଯାଇଛି । ସ୍ଥାନୀୟ ସମୟ ଅନୁସାରେ ଶନିବାର ମଧ୍ୟରାତ୍ର ୧୨ଟା ୦୧ରେ ମାଜିଦକୁ ଢାକାର କେନ୍ଦ୍ରୀୟ ଜେଲରେ ଫାଶିରେ ଝୁଲା ଯାଇଛି । ଗତ ବୁଧବାର ମାଜିଦକୁ ଢାକାରେ ଗିରଫ କରାଯାଇଥିଲା । ଧରା ପଡିବା ପରେ ସେ ଖୁଲାସା କରିଥିଲା ଯେ, ୨୫ ବର୍ଷ ଧରି ସେ ଭାରତରେ ଛପି ରହିଥିଲା । ସେଥିରୁ ୨୨ ବର୍ଷ ସେ କୋଲକାତାରେ ଅତିବାହିତ କରିଛି ।
୧୯୭୫ ଅଗଷ୍ଟ ୧୫ରେ ବାଂଲାଦେଶରେ ସୈନିକ କ୍ଷମତା ଦଖଲ କରି ବଙ୍ଗବନ୍ଧୁଙ୍କ ହତ୍ୟା କରିଥିଲେ । ଏହା ପରେ ମାଜିଦ ସାର୍ବଜନୀନ ଭାବେ ସ୍ୱୀକାର କରିଥିଲା ଯେ, ସେ ବଙ୍ଗବନ୍ଧୁ ମୁଜିବୁର ରେହମାନଙ୍କ ହତ୍ୟା କରିଛି । ଏହା ପରଠୁ ସେ ଫେରାର ହୋଇ ଯାଇଥିଲା । ସେହି ଦିନଠୁ ବାଂଲାଦେଶ ସୁରକ୍ଷା ଏଜେନ୍ସି ତାର ସନ୍ଧାନରେ ଥିଲେ । ଚାରି ଦଶନ୍ଧି ପରେ ତାକୁ ଗତ ମଙ୍ଗଳବାର ଢାକାରୁ ଗିରଫ କରାଯାଇଥିଲା । ମୁଜିବୁର ରେହମାନଙ୍କ ହତ୍ୟାରେ ସାମିଲ ୧୨ ଜଣଙ୍କ ମଧ୍ୟରୁ ମାଜିଦର ଫାଶି ଦଣ୍ଡାଦେଶକୁ ୨୦୦୯ରେ ସୁପ୍ରିମକୋର୍ଟ କାଏମ ରଖିଥିଲେ । ୧୯୮୮ରେ ବାଂଲାଦେଶର ଏକ ନିମ୍ନ ଅଦାଲତ ରେହମାନ ଓ ତାଙ୍କ ପରିବାରର ସଦସ୍ୟଙ୍କ ହତ୍ୟାରେ ସାମିଲ ସୈନ୍ୟ ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ।
ବାଂଲାଦେଶର ବର୍ତମାନର ପ୍ରଧାନମନ୍ତ୍ରୀ ଶେଖ ହସିନା ହେଉଛନ୍ତି ମୁଜିବୁର ରେହମାନଙ୍କ ଝିଅ । ୧୯୭୫ରେ କ୍ଷମତା ଦଖଲ ସମୟରେ ସେ ଅଳ୍ପକେରୁ ବଂଚି ଯାଇଥିଲେ କାରଣ ସେହି ସମୟରେ ସେ ଭଉଣୀଙ୍କ ସହ ଜର୍ମାନୀରେ ରହୁଥିଲେ । ଏହି ହତ୍ୟାକାଣ୍ଡ ପରେ ରେହମାନ ପରିବାରରେ କେବଳ ଦୁଇ ଭଉଣୀ ବଂଚି ପାରିଥିଲେ । ହତ୍ୟାକାରୀଙ୍କୁ ବଂଚାଇବା ପାଇଁ ବାଂଲାଦେଶ ସରକାର କୂଟନେତିକ ମିଶନରେ ବିଦେଶ ପଠାଇ ଦେଇଥିଲେ । ବାଂଲାଦେଶରେ କ୍ଷମତା ଦଖଲ ପରେ ଶେଖ ହସିନା ଦିଲ୍ଲୀ ଚାଲି ଆସିଥିଲେ ଓ ୧୯୮୧ ପର୍ଯ୍ୟନ୍ତ ଭାରତରେ ରହିଥିଲେ । ପରେ ସେ ବାଂଲାଦେଶ ଫେରିଥିଲେ ଏବଂ ପିତାଙ୍କର ରାଜନୈତିକ ବିରାସତକୁ ସମ୍ଭାଳିଥିଲେ ।
ଶେଷରେ ଏହି ହତ୍ୟାକାଣ୍ଡର ଚାରି ଦଶନ୍ଧି ପରେ ମାଜିଦକୁ ଫାଶି ହୋଇଛି । ଶନିବାର ତାକୁ ଫାଶି ଦେବା ପୂର୍ବରୁ ଶୁକ୍ରବାର ତାର ପତ୍ନୀ ଓ ଚାରି ଅନ୍ୟ ସଂପର୍କୀୟ ଜେଲ ଯାଇ ତା ସହିତ ୨ ଘଂଟା ଭେଟ କରିଥିଲେ । ଏହା ପୂର୍ବରୁ ମଙ୍ଗଳବାର ରାତିରେ ସେଠାକାର ରାଷ୍ଟ୍ରପତି ଅବଦୁଲ ହମିଦ ମାଜିଦର ରାଜକ୍ଷମା ଆବେଦନ ଖାରଜ କରିଥିଲେ ।